ନ୍ୟୁଜ ଡେକ୍ସ : ଜଳେଶ୍ୱର ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର ଆଜି ଭିଜିଲାନ୍ସ ହାତରେ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଜଣାପଡିଛି, ମ୍ୟୁନିସିପାଲିଟି ଅଫିସରେ ହୋଡିଂ ଓ ଲାଇଟ୍ ପୋଷ୍ଟ ନିମନ୍ତେ ବିଲ୍ ପାସ କରିବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଅଭିଯୋଗକାରୀ ଠିକାଦାର ଜ୍ୟୋତି ମହାପାତ୍ର ଏହା ସମ୍ବନ୍ଧରେ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ । ଏହି ଅଭିଯୋଗ ଉପରେ କାର୍ଯ୍ୟକାରୀ ହୋଇ, ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ତାଙ୍କ କମ୍ପ୍ୟୁଟରର ହାର୍ଡ ଡିସ୍କ, ଓଫିସ ଫାଇଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଜବତ କରାଯାଇଛି ।ବ୍ରଜଗୋପାଳଙ୍କୁ ଅଟକରେ ରଖି ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି ।ସୂଚନା ମିଳିଛି ଯେ, ୧ ଲକ୍ଷ ଟଙ୍କାର ବିଲ୍ ପାସ କରିବା ପାଇଁ ସେ ୨୦ ହଜାର ଟଙ୍କା ଦାବି କରିଥିଲେ, ଯାହା ଭିତରୁ ପ୍ରଥମ ୧୦ ହଜାର ଟଙ୍କା ନେବା ବେଳେ ସେ ଧରାପଡିଛନ୍ତି ।
