ନ୍ୟୁଜ ଡେକ୍ସ : ଦୀର୍ଘ ୧୧ ବର୍ଷର ବିରତି ପରେ ପୁଣିଥରେ କପିଳେଶ୍ୱରଙ୍କ ହାଣ୍ଡିଭଙ୍ଗା ଯାତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପାରମ୍ପରିକ ଉତ୍ସବକୁ ସ୍ୱଭାବିକ କରିବା ପାଇଁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଦୀର୍ଘଦିନର ଦେବନୀତି ଦର୍ଶନର ଉତ୍କଣ୍ଠା ପୂରଣ ହେବ ବୋଲି ଆଶା କରାଯାଉଛି।
ଗୁରୁବାର ସ୍ୱତନ୍ତ୍ର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ୱର ମନ୍ଦିରକୁ ବିଜେ କରିବା ଓ ସମ୍ପୂର୍ଣ୍ଣ ପୂଜାନୀତି ସମନ୍ୱୟ ରକ୍ଷା କରି ଉତ୍ସବ ସମାପନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।ଆସନ୍ତା ଶନିବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱରଙ୍କ ଏକାଠି ହେବା ନିର୍ଦ୍ଧାରିତ ହୋଇଛି। ଏହି ଅବସରକୁ ନେଇ ମନ୍ଦିର ପରିସରରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଛି।କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତମାନଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବା ପାଇଁ ୩ ଜଣିଆ ନ୍ୟାୟିକ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ହାଣ୍ଡିଭଙ୍ଗା ଯାତ ଅବସରରେ ଏକ ଅନ୍ତରୀଣ ସେବା ପୂଜା ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଶନିବାର ଭୋର ୪ଟାରେ ସେବାୟତମାନେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିବେ। ଠାକୁରଙ୍କ ଦିନ ତମାମରେ ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତ କରି ସମର୍ପଣ କରାଯିବ। ୧୧ ବର୍ଷ ପରେ ଏହି ପାରମ୍ପରିକ ଯାତ ପୁନରାରମ୍ଭ ହେବାକୁ ନେଇ ଭକ୍ତମଣ୍ଡଳୀ ମଧ୍ୟରେ ଉତ୍ସାହ ଦେଖାଦେଇଛି।

