ନ୍ୟୁଜ ଡେକ୍ସ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୯ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ସମ୍ବୋଧନ କରାଯାଇଛି। ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଆ ମହିଳା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜୀବନ ଓ ତ୍ୟାଗର କଥା ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ, ୧୬ ବର୍ଷ ବୟସରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଦେଶପାଇଁ ଅମୂଲ୍ୟ ଅବଦାନ ରଖିଥିଲେ।
ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ସେ ନିଜ ଜୀବନକୁ ସମର୍ପିତ କରିଥିଲେ। ବହୁ ଅନାଥ ଆଶ୍ରମ ସ୍ଥାପନ କରି ସେ ଅସହାୟଙ୍କ ପାଇଁ ଆଶାର ଆଲୋକ ହୋଇଥିଲେ। ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତାଙ୍କ ଜୀବନଶୈଳୀ ସମସ୍ତ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୋଦି କହିଥିଲେ।‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୨୦୨୫ ବର୍ଷର ସଫଳତାଗୁଡ଼ିକୁ ମଧ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ମହାକାଶରୁ କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷକରି କ୍ରୀଡ଼ା କ୍ଷେତ୍ରରେ ଦେଶର ଝିଅମାନେ ଗୌରବ ଆଣିଛନ୍ତି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଦେଶର ‘ଯୁବ ଶକ୍ତି’କୁ ଭାରତର ସବୁଠାରୁ ବଡ଼ ଶକ୍ତି ଭାବେ ବର୍ଣ୍ଣନା କରି କହିଥିଲେ ଯେ ଦେଶ ଏହାକୁ ନେଇ ଗର୍ବ କରେ। ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡ଼ିଛି ଏବଂ ନୂଆ ସଂକଳ୍ପ ସହ ଦେଶକୁ ଆଗକୁ ନେବାର ସମୟ ଆସିଛି।ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବେ ମଧ୍ୟ ସୁରକ୍ଷା ମାମଲାରେ ସାଲିସ୍ କରିନାହିଁ। ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତ ଦୃଢ଼ ଓ କଡ଼ା ଜବାବ ଦେଇଛି ବୋଲି ସେ କହିଥିଲେ।ଏହା ସହ ବନ୍ଦେ ଭାରତ ଅଭିଯାନରେ ଲୋକମାନଙ୍କ ଉତ୍ସାହ, ଦୁବାଇରେ କନ୍ନଡ଼ ପାଠଶାଳା ଆରମ୍ଭ ଭଳି ଭାଷା ଓ ସଂସ୍କୃତି ସମ୍ବନ୍ଧୀୟ ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

