ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ୪ଟି ଶ୍ରମ କୋଡ୍ ବିରୋଧରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ (MGNREGA)କୁ କ୍ଷୀଣ କରି ଭିବିଜି–ରାମଜି ପରି ଶ୍ରମିକ ବିରୋଧୀ ଯୋଜନା ଲାଗୁ କରିଛନ୍ତି, ଯାହାରେ ଶ୍ରମିକ ଓ ଗରିବ ବର୍ଗ ଭୟଙ୍କର ଭାବେ ପ୍ରଭାବିତ ହେଉଛନ୍ତି। ଏହା ସହିତ ୪ଟି ଶ୍ରମ କୋଡ୍ ଆଣି ଶ୍ରମିକଙ୍କର ଅଧିକାର, ସୁରକ୍ଷା ଓ ସାମାଜିକ ସୁରକ୍ଷାକୁ କମଜୋର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ପିସିସି ସଭାପତି କହିଛନ୍ତି ଯେ, ଏହି ଜନବିରୋଧୀ ନୀତି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ଧର୍ମଘଟ, ବିକ୍ଷୋଭ ଓ ଅନଶନ ମାଧ୍ୟମରେ ଲଢ଼େଇ କରୁଛି।
ଓଡ଼ିଶାରେ ମଧ୍ୟ କଂଗ୍ରେସ ଦଳ ତୃଣମୂଳସ୍ତର ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ସକ୍ରିୟ ଭାବେ ସମର୍ଥନ କରିବ। ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ଡିସିସି (ଜିଲ୍ଲା କଂଗ୍ରେସ କମିଟି)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ଶ୍ରମିକ ସଂଗଠନଙ୍କ ଧର୍ମଘଟକୁ ସଫଳ କରିବା ପାଇଁ ମାଠରେ ନେତା ଓ କର୍ମୀମାନଙ୍କୁ ସକ୍ରିୟ କରିବେ। ଆସନ୍ତା ୧୨ ତାରିଖରେ ଓଡ଼ିଶା ସହ ସାରା ଦେଶରେ ଏହି ଧର୍ମଘଟ ବ୍ୟାପକ ରୂପ ନେବାକୁ ଯାଉଛି, ଯାହା ଶ୍ରମିକ ଅଧିକାର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଲଢ଼େଇ ଭାବେ ଦେଖାଯାଉଛି।

