ନ୍ୟୁଜ ଡେକ୍ସ : ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର ୧୨ ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବାକୁ ଯାଉଛି। ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ସେପ୍ଟେମ୍ବର ୨୬ ତାରିଖରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ।
ମିଳିଥିବା ଖବର ଅନୁସାରେ, ମିଗ୍-୨୧ର ବିଦାୟର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ୱତନ୍ତ୍ର କରିବା ପାଇଁ, ବାୟୁସେନା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ । ବର୍ତ୍ତମାନ ଏହାକୁ ସେହି ସ୍ଥାନରୁ ଅନ୍ତିମ ବିଦାୟ ଦିଆଯାଉଛି ଯେଉଁଠାରୁ ଏହା ପ୍ରାୟ ୬ ଦଶନ୍ଧି ପୂର୍ବେ ବାୟୁସେନାରେ ଯୋଗ ଦେଇଥିଲା ।
୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମିଗ୍-୨୧ ହେଉଛି ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ୍ ଲଢୁଆ ବିମାନ । ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲା ଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା । ଖାଲି ସେତିକି ନୁହଁ ଇଏ ହେଉଛି ସେହି ବିମାନ ଯାହା ସାହାର୍ଯ୍ୟରେ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ।
