ନ୍ୟୁଜ ଡେକ୍ସ : ରାଜ୍ୟର ସମୃଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଵଦେଶୀ ପରମ୍ପରାକୁ ଦେଶ ଓ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ୨୦ତମ ଭବ୍ୟ “ତୋଷାଳୀ ସ୍ଵଦେଶୀ ମେଳା” ଆସନ୍ତା ୧୪ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆୟୋଜିତ ହେବ। ଚଳିତବର୍ଷର ଥିମ୍ ରହିଛି ‘ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ’, ଯାହା ଦେଶୀ ଉତ୍ପାଦ ଓ ସ୍ୱଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦେବାର ମୂଳ ଲକ୍ଷ୍ୟକୁ ପ୍ରତିଫଳିତ କରେ।
ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଥିଲେ ଯେ, ତୋଷାଳୀ ସ୍ଵଦେଶୀ ମେଳା ବୁଣାକାର ଓ କାରିଗରମାନଙ୍କ ପାଇଁ ସମୃଦ୍ଧିର ମହାକୁମ୍ଭ ସାବିତ ହେବ। ରାଜ୍ୟ ସରକାର ସେମାନଙ୍କ ଜୀବନଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଥିଲେ। ବିଭାଗୀୟ ଆୟୁକ୍ତ ଓ ଶାସନ ସଚିବ ଗୁହା ପୁନମ ତାପସ କୁମାର ମଧ୍ୟ ଏହି ମେଳା ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସଂସ୍କୃତିର ସଜୀବ ପ୍ରତିଛବି ହେବ ବୋଲି ମତ ପ୍ରକାଶ କରିଥିଲେ। ଚଳିତବର୍ଷ ମେଳାରେ ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ। ସମୁଦାୟ ୯୦୫ଟି ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ ଓ ସ୍ଵଦେଶୀ ଉତ୍ପାଦ ପ୍ରଦର୍ଶିତ ହେବ। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜନରେ ୧୫୦ଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ଟି ଷ୍ଟଲରେ ବୁଣାକାରମାନେ ନିଜ କଳା ପ୍ରଦର୍ଶନ କରିବେ।
ଏହାସହ ରାଜ୍ୟ ସରକାରଙ୍କ ପ୍ରଯୋଜନାରେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ନିଜ ଉତ୍ପାଦ ଉପସ୍ଥାପନ କରିବେ। ୨୦୦ଟି ଷ୍ଟଲରେ MSME ଉତ୍ପାଦ ଏବଂ ୬୦ଟି ଷ୍ଟଲରେ ସ୍ଵଦେଶୀ ଖାଦ୍ୟ ଉପଲବ୍ଧ ହେବ।ମେଳା ପରିସରରେ ହସ୍ତଶିଳ୍ପ, ହସ୍ତତନ୍ତ ଓ ରେଶମକୁ ନେଇ ୩ଟି ଭିନ୍ନ ଥିମ୍ ପାଭିଲିଅନ୍ ସଜାଯାଇଛି, ଯେଉଁଠାରେ ସରକାରୀ ଯୋଜନା, ସଫଳତା ଓ ନୂଆ ପଦକ୍ଷେପ ଦେଖାଯିବ। ଲାଇଭ୍ ଡେମନଷ୍ଟ୍ରେସନ୍ ମାଧ୍ୟମରେ କାରିଗରମାନେ ନିଜ କଳାକୁ ସଜୀବ ଭାବରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ଫେବୃଆରୀ ୨୪ରେ କଳାଭୂମି, ଗଣ୍ଡମୁଣ୍ଡାରେ ୧୦୦୦ ଟେରାକୋଟା ଶିଳ୍ପୀଙ୍କ ମଧ୍ୟରେ ବିଶାଳ ଟେରାକୋଟା କୃତି ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଦିନ ଦିବା ୧୧ଟାରୁ ୨ଟା ଓ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ, ଖରାକୁ ଦୃଷ୍ଟିରେ ରଖି ୨ଟାରୁ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ସନ୍ଧ୍ୟା ୬ଟାରୁ ୯.୩୦ଟା ପର୍ଯ୍ୟନ୍ତ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ ଶୋ ଓ ପ୍ରଥମଥର ପାଇଁ ଡ୍ରୋନ୍ ଶୋ ଆକର୍ଷଣ ରହିବ।ମେଳାରେ ଦର୍ଶକମାନଙ୍କ ସୁବିଧା ପାଇଁ ଦମକଳ, ନିରାପତ୍ତା, ଆମ୍ବୁଲାନ୍ସ, ପାନୀୟଜଳ, ଶୌଚାଳୟ, ATM ଏବଂ ହେଲ୍ପଡେସ୍କ ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମହିଳା କାରିଗର, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧା ସହ ମା’ ଓ ଶିଶୁଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ମଧ୍ୟ ରହିବ। ଏହି ଭବ୍ୟ ମେଳା ଓଡ଼ିଶାର ସ୍ଵଦେଶୀ କଳା ଓ ସଂସ୍କୃତିକୁ ନୂଆ ଉଚ୍ଚତାକୁ ନେବ ବୋଲି ଆଶା କରାଯାଉଛି।

