Sun. Feb 22nd, 2026

ନ୍ୟୁଜ ଡେକ୍ସ : ସଂସଦର ଶୀତ ଅଧିବେଶନ ଏଥର ଏକ ନାଟକୀୟ ସମାପ୍ତି ସହ ଇତିହାସରେ ନାମ ଲେଖାଇଛି। ଅଧିବେଶନର ଶେଷ ପର୍ଯ୍ୟାୟରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ୍ (ଗ୍ରାମୀଣ) ବିଲ୍–୨୦୨୫’ (ଭିବି-ଜି ରାମ ଜି) ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇ ସଂସଦୀୟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।ଏହି ନୂଆ ବିଲ୍ ଦୁଇ ଦଶନ୍ଧି ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ଏମ୍ଜିଏନ୍ଆର୍ଇଜିଏ)ର ସ୍ଥାନ ନେଇଛି।

ହଙ୍ଗାମା ଓ ହୋହଲା ମଧ୍ୟରେ ବାଚନିକ ଭୋଟରେ ପାସ୍ ହୋଇଥିବା ଏହି ବିଲ୍ ବିରୋଧୀ ଦଳମାନଙ୍କଠାରୁ ତୀବ୍ର ସମାଲୋଚନାର ସାମ୍ନା କରିଛି।ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ ଗ୍ରାମୀଣ ଗରିବଙ୍କ ଉପରେ ଆକ୍ରମଣ ସମାନ ଏବଂ ଭାରତର ସବୁଠାରୁ ବଡ଼ ରୋଜଗାର ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମକୁ ଇଚ୍ଛାକୃତ ଭାବେ ହଟାଇବାର ପଦକ୍ଷେପ। ଉଲ୍ଲେଖଯୋଗ୍ୟ ଯେ, ୨୦୦୫ ମସିହାରେ ୟୁପିଏ ସରକାର ଯେତେବେଳେ ମନରେଗା ବିଲ୍ ଆଣିଥିଲେ, ସେତେବେଳେ ଏହାର ପ୍ରାବଧାନଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ୧୪ ମାସ ଧରି ବ୍ୟାପକ ପରାମର୍ଶ ହୋଇଥିଲା ଏବଂ ପରେ ସର୍ବସମ୍ମତିକ୍ରମେ ବିଲ୍ ମଞ୍ଜୁର ହୋଇଥିଲା। ତଥାପି ବିଭିନ୍ନ କାରଣରୁ ମନରେଗା ତା’ର ଲକ୍ଷ୍ୟ ସଂପୂର୍ଣ୍ଣ ଭାବେ ହାସଲ କରିପାରିନଥିଲା।

ବର୍ତ୍ତମାନ କେନ୍ଦ୍ର ସରକାର ଏହି ଆଇନରେ ପରିବର୍ତ୍ତନ କରି ମାତ୍ର ଚାରି ଦିନ ମଧ୍ୟରେ ଭିବି-ଜି ରାମ ଜି ବିଲ୍ ପାରିତ କରିବାକୁ ସମର୍ଥ ହୋଇଛନ୍ତି। ଡିସେମ୍ବର ୧୬ରେ ଆଗତ ଏହି ବିଲ୍ ଲୋକସଭାରେ ପ୍ରାୟ ୧୪ ଘଣ୍ଟାର ସରଗରମ ବିତର୍କ ପରେ ଗୃହୀତ ହୋଇଥିବା ବେଳେ, ରାଜ୍ୟସଭାରେ ଗତରାତି ଏହା ପାସ୍ ହୋଇଛି।ବିଲ୍ ପାସ୍‌କୁ ବିରୋଧ କରି ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ, ବିଲ୍‌ର କପି ଚିରିଥିଲେ ଏବଂ ସଂସଦ ବାହାରେ ରାତିସାରା ଧାରଣା ଦେଇଥିଲେ।କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସତର୍କ କରାଇଛନ୍ତି ଯେ ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଜନତା ରାସ୍ତାକୁ ଓହ୍ଲାଇବେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଲ୍‌କୁ କଡ଼ା ସମାଲୋଚନା କରି ଏହାକୁ ଲୋକବିରୋଧୀ ଏବଂ ଅନ୍ୟାୟ ବୋଲି ଦର୍ଶାଇଛନ୍ତି।ସେହିପରି ଟିଏମ୍ସି ସାଂସଦ ସାଗରିକା ଘୋଷ ବିଲ୍‌କୁ ‘ଗରିବ ବିରୋଧୀ, କୃଷକ ବିରୋଧୀ ଏବଂ ଗାନ୍ଧୀ ବିରୋଧୀ’ ବୋଲି କହି ନିନ୍ଦା କରିଛନ୍ତି। ଡିଏମ୍କେ ନେତା ତିରୁଚି ଶିବା ମଧ୍ୟ ଏହି ବିଲ୍ ମାଧ୍ୟମରେ ସରକାର ଜାତିର ପିତାଙ୍କୁ ଅପମାନ କରିଥିବା ଅଭିଯୋଗ ଉଠାଇଛନ୍ତି।ନୂଆ ବିଲ୍ ଏକ ପକ୍ଷରେ ସରକାରଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଉପସ୍ଥାପନ କରୁଥିବା ବେଳେ, ଅନ୍ୟପଟେ ଏହାକୁ ନେଇ ଦେଶର ରାଜନୀତିରେ ତୀବ୍ର ମତଭେଦ ଓ ଆନ୍ଦୋଳନର ସୂତ୍ରପାତ ହୋଇଛି।

Leave a Reply

Your email address will not be published. Required fields are marked *