ନ୍ୟୁଜ ଡେକ୍ସ: ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରି ବହିବ। ଗୁଳୁଗୁଳି ବି ଅଣନିଃଶ୍ୱାସୀ କରିବ । ୧୪ ତାରିଖ ଯାଏ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି । ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ । ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ ।
ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲା କିଛି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଜାରି ରହିବ।ମେ ୧୧ ରୁ ୧୪ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଯାଜପୁର ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।ମେ ୧୧ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ଅଛି। ଆଗାମୀ ଚାରି ଦିନ ମଧ୍ୟରେ ବିଭିନ୍ନ ସ୍ଥାନଗୁଡ଼ିକ ପାଇଁ ୟେଲୋ ସତର୍କତା ଜାରି କରାଯାଇଛି। ସୂଚନା ଥାଉକି, ଶୁକ୍ରବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୦.୬ ଡିଗ୍ରୀ ରହିଥିଲା ।
ଅନୁଗୁଳ, ହୀରାକୁଦରେ ୪୦.୧ ଡିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ଦିନବେଳା ତାତି ୩୯.୨ ଡିଗ୍ରୀ ରହିଥିଲା । ସ୍ୱାଭାବିକଠାରୁ ପ୍ରାୟ ଦେଢ଼ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଥିଲା । ଏଠାରେ ୬୦ ଡିଗ୍ରୀ ଭଳି ତାତି ଅନୁଭବ (ରିଅଲ ଫିଲ୍) ହୋଇଥିଲା । ଅଧିକ ଆର୍ଦ୍ରତା ପାଇଁ ଅଧିକାଂଶ ସ୍ଥାନରେ ୫୦ରୁ ୬୦ ଡିଗ୍ରୀ ଭଳି ତାତି ଅନୁଭବ ହୋଇଥିଲା ।
