ନ୍ୟୁଜ ଡେକ୍ସ : ରାଜ୍ୟରେ ନିଯୁକ୍ତି ପରୀକ୍ଷାକୁ କେନ୍ଦ୍ରକରି ଚାଲିଥିବା ବିଭିନ୍ନ ବିଭ୍ରାଟ ଏବେ ଆଳୋଚନାର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ୧୬ ମାସ ମଧ୍ୟରେ ୧୬ଟି ପରୀକ୍ଷାରେ ଅନିୟମିତତା ଓ କେଳେଙ୍କାରି ସାମ୍ନାକୁ ଆସିଥିବାରୁ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ସ୍ୱପ୍ନ ଭଙ୍ଗ ହୋଇଛି।ଗତକାଲି ବାତିଲ ହୋଇଥିବା ପୁଲିସ ସବ୍-ଇନିସ୍ପେକ୍ଟର (ଏସଆଇ) ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଥିବା ଆରୋପ ଉଠିଛି।
ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି।ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା ମନ୍ତ୍ରୀମାନଙ୍କୁ ଖସେଇ ଦେବାପାଇଁ ତରବରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୋଲିସ ବିଭାଗ ଅଧିନରେ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି ହେବାର କଥା ସାମ୍ନାକୁ ଆସିଲା ସେଇ ପୋଲିସ ବିଭାଗର କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଯଦି ତଦନ୍ତ କରାଯାଏ ଫଳ କଣ ବାହାରିବ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ଚୋର ହାତରେ ଚାବିକାଠି ଦେବା ସଦୃଶ ଯେଉଁ ପୋଲିସ ବିଭାଗର କର୍ମଚାରୀ ଏହି ଜାଲିଆତିରେ ସାମିଲ ଅଛନ୍ତି ସେହି ବିଭାଗରେ ଲୋକଙ୍କ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷିମାନେ ଖସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ହଜାର ହଜାର ମେଧାବୀ ପରୀକ୍ଷାର୍ଥୀ ମାନଙ୍କର ଭବିଷ୍ୟତ ଆଜି ଏ ସରକାର ଅନ୍ଧାରକୁ ଠେଲି ଦେଇଛି। ସେଇ ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ଦେବାପାଇଁ ଏହି ଘୋଟାଲାକୁ ସିବିଆଇ ଦ୍ଵାରା ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜୁ ଯୁବ ଜନତା ଦଳ ଚୁପ୍ ବସିବ ନାହିଁ।

