ନ୍ୟୁଜ ଡେକ୍ସ: ରାଜ୍ୟରେ ଅସହ୍ୟ ଗରମ ଭିତରେ କାଳବୈଶାଖୀ କାରଣରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୧୭ ତାରିଖ ଯାଏଁ ବର୍ଷିବ କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ରୁ ୪୦କିମି ବେଗରେ ପବନ ବି ବହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ ।
ଶନିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୪୦ମିମି ବର୍ଷା ହୋଇଛି। ଖୋର୍ଦ୍ଧା, ନୟାଗଡ଼, ଦାରିଙ୍ଗିବାଡ଼ି ଓ ଅନୁଗୁଳରେ ମଧ୍ୟ ବର୍ଷା ହୋଇଛି । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୭ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
