ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା ୧୯ ତାରିଖରୁ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ପରୀକ୍ଷା ସହ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ) ପରୀକ୍ଷା ମଧ୍ୟ ସେହି ଦିନରୁ ଆରମ୍ଭ ହେବ। ଏଥର ରାଜ୍ୟର ସମୁଦାୟ ୩୦୮୨ଟି ସେଣ୍ଟରରେ ପରୀକ୍ଷା ଆୟୋଜିତ ହେବ।ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇ କହିଛନ୍ତି ଯେ, ପରୀକ୍ଷାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।
ମାଟ୍ରିକ୍ ପାଇଁ ଏବେ ପର୍ଯ୍ୟନ୍ତ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଛନ୍ତି, ଯାହା ଏକ ବଡ଼ ସଂଖ୍ୟା।ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ବଣ୍ଟନ କରିବା ପାଇଁ କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମ୍ରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦୂରଦୂରାନ୍ତରେ ଅବସ୍ଥିତ ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ। ଏହି କାମ ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି।ରାଜ୍ୟରେ ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି, ଯାହାମଧ୍ୟରୁ ୧୭ଟି ପୁଲିସ ଷ୍ଟେସନ୍ ଭିତରେ ଅବସ୍ଥିତ। ପ୍ରତ୍ୟେକ ନୋଡାଲ୍ ସେଣ୍ଟରରେ ସେମି ଡିଜି ଲକର୍ ବ୍ୟବସ୍ଥା ରହିଛି, ଯାହା ଦ୍ୱାରା ପ୍ରଶ୍ନପତ୍ରର ସୁରକ୍ଷା ସୁନିଶ୍ଚିତ କରାଯିବ। ପ୍ରଶ୍ନପତ୍ର କେଉଁ ରାସ୍ତା ଦେଇ କେଉଁ ନୋଡାଲ୍ ସେଣ୍ଟରକୁ ପହଞ୍ଚିବ, ସେଥିପାଇଁ ଏକ ସ୍ପଷ୍ଟ ରୁଟ୍ଚାର୍ଟ ପ୍ରସ୍ତୁତ କରାଯାଇଛି।
ପ୍ରତ୍ୟେକ ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହ ଦୁଇଜଣ ବୋର୍ଡ କର୍ମଚାରୀ ମଧ୍ୟ ରହିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ରହିଛି, ଯାହା ଦ୍ୱାରା ପରୀକ୍ଷା ପ୍ରକ୍ରିୟାକୁ ନିରନ୍ତର ନିରୀକ୍ଷଣ କରାଯିବ।ବୋର୍ଡ ପକ୍ଷରୁ କୁହାଯାଇଛି ଯେ, କୌଣସି ପ୍ରକାର ଅନିୟମିତତା, ପ୍ରଶ୍ନପତ୍ର ଚୋରାଚାମାରି କିମ୍ବା ଅସୁବିଧା ସୃଷ୍ଟି ହେବା ନିମିତ୍ତେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯିବ। ଏଥର ଛାତ୍ରଛାତ୍ରୀମାନେ ଶାନ୍ତ, ନିର୍ଭୟ ଓ ସୁରକ୍ଷିତ ପରିବେଶରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ଆଶା ପ୍ରକାଶ କରିଛି।

