ନ୍ୟୁଜ ଡେକ୍ସ: ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଓ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ୩୦ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।
ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଅବହେଳା କଲେ ଜିଲ୍ଲା ଶିକ୍ଷାଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସତର୍କ କରାଇ ଦିଆଯାଇଛି।ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ମଙ୍ଗଳବାର ଡିଇଓମାନେ ଜିଲ୍ଲାସ୍ତରରେ ସମୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆସନ୍ତାକାଲିଠାରୁ ଖାତା ଦେଖା ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି ।
ଆବଶ୍ୟକସ୍ଥଳେ ଡିଇଓମାନେ ଅଧିକ ଶିକ୍ଷକଙ୍କୁ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ୍ କରିପାରିବାର ସୁବିଧା ରହିଥିବା ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ସବଜେକ୍ଟିଭ୍ ପ୍ରଶ୍ନରୁ ଜଣେ ଶିକ୍ଷକଙ୍କୁ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରଶ୍ନର ଉତ୍ତର ମୂଲ୍ୟାୟନ କରିବାର ବ୍ୟବସ୍ଥା ରହିଛି । ଏପରି ସମ୍ପୃକ୍ତ ଶିକ୍ଷକ ଦିନକୁ ୧୦୦ଟି ପ୍ରଶ୍ନର ଉତ୍ତର ମୂଲ୍ୟାୟନ କରିବେ ବୋଲି ସୂଚନା ମିଳିଛି । ସେହିପରି ମୂଲ୍ୟାୟନ ପରେ ପ୍ରତିଦିନ ମାର୍କ ଅପଲୋଡ୍ କରାଯିବ । ଏଥିଲାଗି ବୋର୍ଡ ପକ୍ଷରୁ ୩ ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି ।
