Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା ୧୯ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ସମାନ ସମୟରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଓପନ ସ୍କୁଲ) ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଜ୍ୟର ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ପରୀକ୍ଷା ସୁଚାରୁ ଓ ସୁରକ୍ଷିତ ଭାବେ କରାଇବା ପାଇଁ ବୋର୍ଡ ପକ୍ଷରୁ ୩୨୨ଟି ନୋଡାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି। ପ୍ରଶ୍ନପତ୍ର ଓ ଓଏମଆର ସିଟ୍‌ଗୁଡ଼ିକ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି। ନୋଡାଲ ସେଣ୍ଟରଗୁଡ଼ିକରେ ମଧ୍ୟ ପ୍ରଶ୍ନପତ୍ର ଓ ଉତ୍ତରଖାତା ସଶସ୍ତ୍ର ପୁଲିସ ନିରୀକ୍ଷଣରେ ସୁରକ୍ଷିତ ଭାବରେ ରଖାଯିବ। ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ବୋର୍ଡ ଅତ୍ୟନ୍ତ କଡା ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ପରୀକ୍ଷା କେନ୍ଦ୍ର ସହିତ ନୋଡାଲ ସେଣ୍ଟରରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି।

ଗତବର୍ଷ ଭଳି ଏଥିବର୍ଷ ମଧ୍ୟ ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍‌ ଓ ୱାଟରମାର୍କ ରଖାଯାଇଛି, ଯାହା ମାଧ୍ୟମରେ କୌଣସି ଅନିୟମ ଘଟିଲେ ସହଜରେ ଚିହ୍ନଟ କରାଯିବ।ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ ଆଧୁନିକ କମାଣ୍ଡ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଏହି କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରର କାର୍ଯ୍ୟକଳାପ ଲାଇଭ୍‌ ମନିଟରିଂ କରାଯିବ। କୌଣସି ବିଶୃଙ୍ଖଳା, ଅନିୟମ କିମ୍ବା ସନ୍ଦେହଜନକ ଘଟଣା ଘଟିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ସୂଚନା ଦେଇଛି।ଏଭଳି କଡା ସୁରକ୍ଷା ଓ ପ୍ରଯୁକ୍ତି ଭିତ୍ତିକ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାକୁ ସ୍ୱଚ୍ଛ, ସୁସଂଗଠିତ ଓ ନିଷ୍ପକ୍ଷ ଭାବରେ ସମ୍ପନ୍ନ କରିବାକୁ ବୋର୍ଡ ପୂରା ପ୍ରସ୍ତୁତ ରହିଛି।

Leave a Reply

Your email address will not be published. Required fields are marked *