ନ୍ୟୁଜ ଡେକ୍ସ: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁ ଲାଗିଥିଲା।
ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ସମୟରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ନିଆଁ ଲାଗିଯାଇଥିଲା । ଦୀର୍ଘ ଅଢେଇ ଘଣ୍ଟା ଧରି ନିଆଁ ଲାଗି ରହିଥିବା ବେଳେ ନିଆଁ ଓ ଧୂଆଁର ବଳୟ ଭିତରେ ଥିଲା ପୁରା ରାଜମହଲରୁ ଏଜି ଛକ ରାସ୍ତା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ପ୍ରାୟ ୪ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୀପାବଳି ବାଣ ପଡି ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ। ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତା’ ପରେ ଅଗ୍ନିଶମ କର୍ମଚାରୀ ଭିତରେ ପଶିଥିଲେ। ସେମାନେ ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।