Sat. Feb 21st, 2026

ନ୍ୟୁଜ ଡେକ୍ସ : ଗତ ବର୍ଷ ଅର୍ଥାତ୍ ୨୦୨୫ରେ ଦେଶରେ ବାଘଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୫ରେ ସମଗ୍ର ଦେଶରେ ମୋଟ ୧୬୬ଟି ବାଘଙ୍କ ମୃତ୍ୟୁ ହୋଇଛି। ଏହା ୨୦୨୪ ତୁଳନାରେ ୪୦ଟି ଅଧିକ, କାରଣ ୨୦୨୪ରେ ୧୨୬ଟି ବାଘଙ୍କ ମୃତ୍ୟୁ ରେକର୍ଡ ହୋଇଥିଲା।

ତଥ୍ୟ ଅନୁଯାୟୀ, ବାଘ ମୃତ୍ୟୁ ସଂଖ୍ୟାରେ ମଧ୍ୟପ୍ରଦେଶ ସର୍ବାଧିକ ରହିଛି। ମଧ୍ୟପ୍ରଦେଶରେ ଏକାକୀ ୫୫ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩୮ଟି, କେରଳରେ ୧୩ଟି ଓ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ମୃତ ବାଘଙ୍କ ମଧ୍ୟରୁ ୩୧ଟି ଶାବକ ଥିବା ତଥ୍ୟ ଅଧିକ ଚିନ୍ତା ବଢ଼ାଇଛି।ଏନ୍‌ଟିସିଏ କହିଛି ଯେ ବିଭିନ୍ନ କାରଣ, ଯଥା ପ୍ରାକୃତିକ ମୃତ୍ୟୁ, ରୋଗ, ଆପସରେ ଲଢ଼ାଇ, ମାନବ-ବନ୍ୟପ୍ରାଣୀ ସଂଘର୍ଷ ଓ ଅନ୍ୟାନ୍ୟ କାରଣରୁ ବାଘଙ୍କ ମୃତ୍ୟୁ ଘଟୁଛି।

ଡିସେମ୍ବର ୨୮, ୨୦୨୫ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଗୋଟିଏ ବାଘର ମୃତ୍ୟୁ ଘଟିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ପାଇଁ ପ୍ରୟାପ୍ତ ଆବାସସ୍ଥଳୀର ଅଭାବ ସୃଷ୍ଟି ହେଉଛି। ଏହି କାରଣରୁ ବାଘ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି। ବାଘ ସଂରକ୍ଷଣ ପାଇଁ ଆହୁରି କଡା ପଦକ୍ଷେପ ଓ ଆବାସସ୍ଥଳୀ ବିସ୍ତାରର ଆବଶ୍ୟକତା ରହିଛି ବୋଲି ପରିବେଶବିଦ୍‌ମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *