Sat. Feb 21st, 2026

ନ୍ୟୁଜ ଡେକ୍ସ : ୨୦୨୬ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ କ୍ଷେତ୍ରକୁ ଗତି ଦେବା ଓ ଭାରତକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପର୍ଯ୍ୟଟନ ଗାଇଡମାନଙ୍କୁ ତାଲିମ, ନୂତନ ଶିକ୍ଷାନୁଷ୍ଠାନ, ଡିଜିଟାଲ ଯୋଜନା, ଟ୍ୟାକ୍ସ ରିଆୟତି ସହିତ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ସହଜ କରିବା ଉପରେ ବିଶେଷ ଜୋର ଦିଆଯାଇଛି।ବଜେଟର ଏକ ବଡ଼ ଘୋଷଣା ହେଉଛି ଜାତୀୟ ଆତିଥ୍ୟ ପ୍ରତିଷ୍ଠାନର ସ୍ଥାପନା।

ଏହି ପ୍ରତିଷ୍ଠାନ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ବୃତ୍ତିଗତ ଶିକ୍ଷା, ନେତୃତ୍ୱ ବିକାଶ ଏବଂ ଶିଳ୍ପ-ଶିକ୍ଷା ସମନ୍ୱୟକୁ ସୁଦୃଢ଼ କରିବ। ଏହା ଦ୍ୱାରା ଦେଶରେ ଦକ୍ଷ ମାନବ ସମ୍ପଦ ତିଆରି ହେବ ବୋଲି ଆଶା କରାଯାଉଛି।ସେହିପରି, IIM ସହଯୋଗରେ ୧୨ ସପ୍ତାହର ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଯାହାରେ ୨୦ଟି ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନରେ ୧୦,୦୦୦ ପର୍ଯ୍ୟଟକ ଗାଇଡଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବା ସହ ପର୍ଯ୍ୟଟକଙ୍କ ଅନୁଭୂତି ମଧ୍ୟ ଉନ୍ନତ ହେବ। ପର୍ଯ୍ୟଟନ ସୂଚନାକୁ ସହଜରେ ଉପଲବ୍ଧ କରାଇବା ପାଇଁ ଏକ ଡିଜିଟାଲ୍ ନଲେଜ୍ ଗ୍ରୀଡ୍ ପ୍ରତିଷ୍ଠା କରାଯିବ। ଏହା ମାଧ୍ୟମରେ ସାଂସ୍କୃତିକ, ଐତିହାସିକ ଓ ଆଧ୍ୟାତ୍ମିକ ସ୍ଥାନଗୁଡ଼ିକର ଡିଜିଟାଲ ଡକ୍ୟୁମେଣ୍ଟେସନ୍, ମ୍ୟାପ୍ ଏବଂ ଗନ୍ତବ୍ୟସ୍ଥଳ ଯୋଜନା ଉପଲବ୍ଧ ହେବ।ଯାତ୍ରାକୁ ସସ୍ତା କରିବା ଦିଗରେ ବଜେଟର ଆଉ ଏକ ବଡ଼ ଘୋଷଣା ହେଉଛି ବିଦେଶୀ ପର୍ଯ୍ୟଟନ ପ୍ୟାକେଜ୍‌ ଉପରେ TCS ୨୦ ପ୍ରତିଶତରୁ ୨ ପ୍ରତିଶତକୁ କମାଇ ଦିଆଯିବା।

ଏହା ଦ୍ୱାରା ଯାତ୍ରୀମାନେ ଓ ଟ୍ରାଭେଲ୍ ଶିଳ୍ପ ଦୁହେଁ ବଡ଼ ଆର୍ଥିକ ଆଶ୍ୱସ୍ତି ପାଇବେ।ଉତ୍ତର-ପୂର୍ବ ଭାରତରେ ବୌଦ୍ଧ ସର୍କିଟ୍ ବିକାଶ, ଧୋଲାଭିରା, ରାଖୀଗଢ଼ି ଓ ସାରନାଥ ଭଳି ପ୍ରାଚୀନ ସ୍ଥାନଗୁଡ଼ିକୁ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା, ଏବଂ ହିମାଚଳ, ଉତ୍ତରାଖଣ୍ଡ ଓ କାଶ୍ମୀରରେ ମାଉଟେନ୍ ଟ୍ରେଲ ବିକାଶ ଭଳି ପଦକ୍ଷେପ ଭାରତକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ଆହୁରି ଶକ୍ତିଶାଳୀ କରିବ।ସେହିପରି, ଦେଶର ବିଭିନ୍ନ ରାଜ୍ୟରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା ପର୍ଯ୍ୟଟନ ହବ୍ ସ୍ଥାପନା ଘୋଷଣା କରାଯାଇଛି।

ଏହି ହବ୍‌ଗୁଡ଼ିକରେ ଚିକିତ୍ସା, ଶିକ୍ଷା ଓ ଗବେଷଣା ସୁବିଧା ସହିତ ସମନ୍ୱିତ ସ୍ୱାସ୍ଥ୍ୟ ସେବା ମିଳିବ, ଯାହା ଭାରତକୁ ଚିକିତ୍ସା ପର୍ଯ୍ୟଟନର ଏକ ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବ। ସମଗ୍ରରେ, ୨୦୨୬ ବଜେଟର ପର୍ଯ୍ୟଟନ ସମ୍ବନ୍ଧୀୟ ଘୋଷଣାଗୁଡ଼ିକ ଦେଶର ଆର୍ଥିକ ବିକାଶ, ନିଯୁକ୍ତି ସୃଷ୍ଟି ଓ ବିଶ୍ୱ ପର୍ଯ୍ୟଟନ ମଞ୍ଚରେ ଭାରତର ଛବିକୁ ନୂଆ ଉଚ୍ଚତାକୁ ନେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *