Fri. Feb 27th, 2026

ନ୍ୟୁଜ ଡେକ୍ସ : ଦେଶବ୍ୟାପୀ ଭାବେ ୨୦୨୭ ରେ ହେବାକୁ ଯାଉଥିବା ଜାତୀୟ ଜନଗଣନା ପାଇଁ ଓଡ଼ିଶାରେ ପ୍ରସ୍ତୁତି ଜୋରଦାର ହେଉଛି। ଏହି ଜନଗଣନାର ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲରୁ ଆରମ୍ଭ ହେବ। ଏହା ପୂର୍ବରୁ ପରୀକ୍ଷାମୂଳକ ଜନଗଣନା ପାଇଁ ରାଜ୍ୟର ୪ଟି ଅଞ୍ଚଳରେ ପ୍ରାକ୍ ଗଣନା କାର୍ଯ୍ୟ ଚାଲିଛି।ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଡିଜିଟାଲ ପରୀକ୍ଷାମୂଳକ ଜନଗଣନା ଏହି ମାସର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର ମହାନଗର ନିଗମର ୨୨ ନଂ ୱାର୍ଡ, କଟକର ୧୭ ନଂ ୱାର୍ଡ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡାରେ ପ୍ରାକ୍ ଗୃହ ଗଣନା ଓ ଗୃହତାଲିକା କାର୍ଯ୍ୟ ଚାଲିଛି।ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ଅଞ୍ଚଳର ୨୦ଟି ଗାଁ ଏବଂ ମୟୂରଭଞ୍ଜ ଠାକୁରମୁଣ୍ଡାର ୪୪ଟି ଗାଁରେ ଗୃହ ଗଣନା ହେଉଛି। ସେହିପରି ଭୁବନେଶ୍ୱର ଏବଂ କଟକ ସହରର ନିର୍ଦ୍ଦିଷ୍ଟ ୱାର୍ଡଗୁଡିକରେ ମଧ୍ୟ ଗୃହ ଗଣନା ଓ ତଥ୍ୟ ଆହରଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ସମନ୍ୱୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଗଣନାକାରୀମାନେ ଘରକୁ ଯାଇ ଗୃହ ପରିଦର୍ଶନ, ନମ୍ବର ପ୍ରଦାନ ଓ ତଥ୍ୟ ସଂଗ୍ରହ କାର୍ଯ୍ୟ କରୁଛନ୍ତି।ଏଥିରେ ସାମିଲ ହେବେ ପାଖାପାଖି ୩୫ ଲକ୍ଷ ଗଣନାକାରୀ, ସୁପରଭାଇଜର୍ ଏବଂ ଅନ୍ୟ ଜନଗଣନା ଅଧିକାରୀ। ସମସ୍ତଙ୍କୁ ତ୍ରିସ୍ତରୀୟ ପ୍ରଶିକ୍ଷଣ ଦେଇ ତଦନୁସାରେ ନିୟୋଜନ କରାଯାଇଛି। ଡିଜିଟାଲ ଜନଗଣନା ଥିବାରୁ ସାଇବର ସୁରକ୍ଷା ନେଇ ମଧ୍ୟ ଉଚ୍ଚମାନର ପଦକ୍ଷେପ ଗ୍ରହଣ କରାଯାଇଛି।

ଜନଗଣନା ବେଳେ ଗଣନା ଅଧିକାରୀମାନେ ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ପରିବାରର ଆକାର, ପରିବାର ମୁଖିଆଙ୍କ ସହ ସମ୍ପର୍କ, ପ୍ରଜନନ ସମ୍ବନ୍ଧୀୟ ତଥ୍ୟ, ଶିକ୍ଷା, ଅର୍ଥନୈତିକ କାର୍ଯ୍ୟ, ଜନ୍ମସ୍ଥାନ, ଧର୍ମ, ଭାଷା ଓ ଅକ୍ଷମତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବେ।ଓଡ଼ିଶାରେ ଏହି ପ୍ରାକ୍ ଜନଗଣନା ପରୀକ୍ଷା ଭବାନ୍ତରେ ଆଗାମୀ ୨୦୨୭ର ମହାତ୍ୱପୂର୍ଣ୍ଣ ଜନଗଣନାକୁ ସଫଳ ଓ ତ୍ରୁଟିହୀନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଅଧିକାରୀମାନଙ୍କ ମତ।

Leave a Reply

Your email address will not be published. Required fields are marked *