ନ୍ୟୁଜ ଡେକ୍ସ : ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା କୌଣସି ବିଦ୍ୟାଳୟ ଆଗାମୀ ଦିନରେ ଖୋଲିବ ନାହିଁ। ଏନେଇ ଆଜି ଗୁରୁବାର ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରଙ୍କ ଅବଧିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନେକ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା।
କିନ୍ତୁ ବର୍ତ୍ତମାନ ସରକାର ଗଠନ ହେବା ପରେ ସେହିପରି ବନ୍ଦ ହୋଇଯାଇଥିବା ୪୬ଟି ସ୍କୁଲ୍କୁ ପୁଣି ଖୋଲି ସାରିଥିବା ବিষୟ ମନ୍ତ୍ରୀ ଗୃହରେ ଜଣାଇଛନ୍ତି।ବିଦ୍ୟାଳୟ ଖୋଲିବା ସହ ଜଡିତ ନୀତି ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଯେକୌଣସି ନୂଆ ବିଦ୍ୟାଳୟ ଖୋଲିବା କିମ୍ବା ପୂର୍ବରୁ ବନ୍ଦ ହୋଇଥିବା ବିଦ୍ୟାଳୟକୁ ପୁନଃ କ୍ରିୟାଶୀଳ କରିବା ପାଇଁ ପ୍ରଥମେ ଜିଲ୍ଲାସ୍ତରୀୟ କମିଟିର ନିବେଦନ ଆବଶ୍ୟକ।
ସେହି ନିବେଦନ ଆସିଲା ପରେ ରାଜ୍ୟ ସରକାର ତାହାର ସମୀକ୍ଷା କରି ସାର୍ବିକ ଭାବେ ନିଷ୍ପତ୍ତି ନେଉଛନ୍ତି।ତେବେ ବର୍ତ୍ତମାନ ସମୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଖୋଲିବା ପାଇଁ କୌଣସି ଯୋଜନା ନଥିବାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

