Thu. Oct 23rd, 2025

ନ୍ୟୁଜ ଡେକ୍ସ: ଫେବୃଆରୀ ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଆଗକୁ ମାଡି ଆସୁଛି ପ୍ରଚଣ୍ଡ ଖରା। ମାଘ ମାସରେ ନାହିଁ ଶୀତ। ହଠାତ୍ ବଢିଯାଇଛି ତାପମାତ୍ରା। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ତାପମାତ୍ରା। ମଙ୍ଗଳବାର ଝାରସୁଗୁଡ଼ାର ତାପମାତ୍ରା ୩୬.୪ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡିରେ ୩୫.୬, ସମ୍ବଲପୁରରେ ୩୫.୪, ବଲାଙ୍ଗୀରରେ ୩୫.୩, ମାଲକାନଗିରିରେ ୩୫.୨, ବରଗଡ଼ରେ ୩୪.୫, ହୀରାକୁଦରେ ୩୪.୪, ସୋନପୁରରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାଜଧାନୀର ତାପମାତ୍ରା ୩୩.୬ ଡିଗ୍ରୀ ରହିଥିଲା । ଦିନକୁ ଦିନ ତାତି ବଢ଼ିଚାଲିଛି । ରାତିରେ ବି ପାରଦ ଉପରମୁହାଁ ହେଉଛି । ଛତ୍ରପୁର ଓ ପୁରୀରେ ୨୩ଡିଗ୍ରୀ, ଗୋପାଳପୁରରେ ୨୨.୬, ପାରାଦୀପରେ ୨୧.୯ ଓ ଭୁବନେଶ୍ୱରରେ ୨୧.୬ ଡିଗ୍ରୀ ରହିଥିଲା । ରାତିରେ ଶୀତ ଉଭାନ୍ ହୋଇଯାଇଛି ।ଗତ ଜାନୁଆରୀ ୩୧ ତାରିଖରେ ଭବାନୀପାଟଣାରେ ଦିନ ତାପମାତ୍ରା ରେକର୍ଡ ୩୪ ଡ଼ିଗ୍ରୀ ରହିଥିଲା । ୧୯୭୩ରୁ ୨୦୨୫ ମସିହା ଯାଏ, ଦୀର୍ଘ ୫୨ ବର୍ଷରେ ଜାନୁୟାରୀ ମାସ ପାଇଁ ଏହା ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ସେହିଦିନ ଝାରସୁଗୁଡ଼ାରେ ରେକର୍ଡ ୩୪.୫ ଡ଼ିଗ୍ରୀ ରହିଥିଲା । ଏହା ଜାନୁଆରୀ ମାସର ତୃତୀୟ ସର୍ବାଧିକ ତାପମାତ୍ରା । ଜାନୁୟାରୀ ମାସର ଶେଷ ସପ୍ତାହ ଓ ଫେବ୍ରୁଆରୀ ମାସରେ ରାଜଧାନୀର ତାତିକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କଲେଣି । ହିଟ୍ ଆଇଲାଣ୍ଡ ପ୍ରଭାବରେ ସହରର ତାତି ବଢ଼ିଚାଲିଛି ।

ଗତବର୍ଷ ଏପ୍ରିଲ ମାସରେ ଲଗାତର ୧୬ ଦିନ ଧରି ୪୦ ଡ଼ିଗ୍ରୀ ରୁ ଅଧିକ ତାପମାତ୍ରା ଅନୁଭୂତ ହୋଇଥିଲା । ରାଜଧାନୀ ପାଣିପାଗ କେନ୍ଦ୍ର ସ୍ଥାପନ ଠାରୁ ଆଜିସୁଦ୍ଧା ଗତ ୭୮ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଲମ୍ବା ଗ୍ରୀଷ୍ମ ଅବଧି ଅନୁଭୂତ ହୋଇଥିଲା । ୨୦୦୫ ଫେବୃଆରୀ ୧ ତାରିଖରେ ସର୍ବୋଚ୍ଚ ଦିନ ତାପମାତ୍ରା ୨୫.୭ ଡିଗ୍ରୀ ଥିଲା । କିନ୍ତୁ ଏବେ ଏହା ୩୫ ଡିଗ୍ରୀ ପାଖରେ ରହୁଛି । ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ୱର ଉତ୍ତପ୍ତ ବର୍ଷ ପାଲଟିଛି । ବିଶ୍ୱତାପନ ପ୍ରଭାବରେ ତାତି ଦିନକୁ ଦିନ ଅସହ୍ୟ ହେଉଛି ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି ।

Leave a Reply

Your email address will not be published. Required fields are marked *