Mon. Dec 23rd, 2024

ନ୍ୟୁଜ ଡେସ୍କ: ଅଯୋଧ୍ୟାରେ ପାଳିତ ହୋଇଛି ଦୀପୋତ୍ସବ । ଜଳିଛି ୨୫ ଲକ୍ଷ ଦୀପ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ପାଳନ ହୋଇଛି ଦୀପୋତ୍ସବ। ଏହି ଅବସରରେ ଅଯୋଧ୍ୟାରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜଳାଇଛନ୍ତି ଶ୍ରଦ୍ଧାଳୁ। ଏହା ସହିତ ୧୧୨୧ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଆରତି ମଧ୍ୟ କରିଛନ୍ତି।

ଏହି ୨ଟି କାର୍ଯ୍ୟକ୍ରମ ଦ୍ଵାରା ୨ଟି ଗିନୀଜ ବୁକ ରେକର୍ଡ ହୋଇଛି। ଦୀପ ଜଳିବା ପରେ ପୂରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା। ଏପରି ଦୀପୋତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ,ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି। ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ଉତ୍ତରାଖଣ୍ଡରୁ ଆସିଥିବା କଳାକାରମାନେ ରାମଲୀଳା ପ୍ରଦର୍ଶନ କରି ପରିବେଶରେ ଚାରଚାନ୍ଦ ଲଗାଇଥିଲେ। ଅତିରିକ୍ତ ଭାବେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରି ଦୀପୋତ୍ସବର ଶୁଭାରମ୍ଭ କରିଥିଲେ।

ରାମାୟଣର କଳାକାରମାନେ ବସିଥିବା ରଥକୁ ମଧ୍ୟ ସେ ଟାଣିଥିଲେ। ତେବେ ଚଳିତ ବର୍ଷର ଦୀପୋତ୍ସବ ପାଇଁ ସାକେତ ମହାବିଦ୍ୟାଳୟ ପକ୍ଷରୁ ୧୮ଟି ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା। ଏହାବାଦ ସୂଚନା ବିଭାଗ ପକ୍ଷରୁ ୧୧ଟି ଓ ପର୍ଯ୍ୟଟନ ବିଭାଗ ଆଉ ୭ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ। ସେହିପରି ପର୍ଯ୍ୟଟନ ବିଭାଗର ପ୍ରଜ୍ଞାପନ ମେଢ଼ରେ ଆଦି କାଣ୍ଡ,ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତରା କାଣ୍ଡର ଝଲକ ଦେଖିବାକୁ ମିଳିଥିଲା। ତୁଳସୀଦାସଙ୍କ ରାମଚରିତମାନସକୁ ଆଧାର କରି ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published. Required fields are marked *