ନ୍ୟୁଜ ଡେକ୍ସ: ଅପରାଧ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ସମ୍ଭାଳିବାରେ ନୟାନ୍ତ ହେଉଛି ଭୁବନେଶ୍ୱର ୟୁପିଡି ପୁଲିସ । ହତ୍ୟା, ଦୁଷ୍କର୍ମ, ଗୋଷ୍ଠୀ ସଂଘର୍ଷ, ଲୁଟ୍, ଛିନ୍ତାଇ, ଡକାୟତି ଭଳି ଅପରାଧ ନିୟନ୍ତ୍ରଣରେ ଛନ୍ଦି ହୋଇପଡୁଛନ୍ତି ପୁଲିସ । ତା’ଠୁ ବଳି ଯାଉଛି ଧାରଣା, ବିକ୍ଷୋଭ, ଧର୍ମଘଟ ଓ ଭିଭିଆଇପିଙ୍କ ଗସ୍ତରେ ଆଇନଶୃଙ୍ଖଳା ପରିଚାଳନା ।
ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି। ‘ବାଇ-ଲ’ ଅନୁସାରେ ଅପରାଧ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପରସ୍ପରଠୁ ସଂପୂର୍ଣ୍ଣ ଅଲଗା କରିବାକୁ ଇଏ ହେଉଛି ପୋଲିସ୍ ଡିଜିଙ୍କୁ କଟକ-ଭୁବନେଶ୍ବର ପୋଲିସ କମିଶନରେଟର ପ୍ରସ୍ତାବ । ଏହା ଅନୁସାରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ଦୁଇଭାଗ କରାଯିବ। ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ । ପ୍ରତି ପୋଲିସ୍ ଜିଲ୍ଲା ଦାୟିତ୍ବରେ ରହିବେ ଜଣେ ଲେଖାଏଁ ଡିସିପି ଏବଂ ରହିବ ୩ଟି ଲେଖାଏଁ ଜୋନ୍ । ରାଜଧାନୀରେ ବିଧାନସଭା, ଲୋକସେବା ଭବନ, ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୨୪ ଘଣ୍ଟିଆ ପ୍ରହରା ଦିଆଯାଉଛି ।
ଶହଶହ ନେତାମନ୍ତ୍ରୀଙ୍କ ଘର ଏଠି । ସବୁଠୁ ବଡ଼ ବିମାନବନ୍ଦର, ରେଳଷ୍ଟେସନ ଓ ବସ୍ଷ୍ଟାଣ୍ଡ ସହ ସର୍ବାଧିକ ଶିକ୍ଷାନୁଷ୍ଠାନ ଓ ଘରୋଇ ହସ୍ପିଟାଲ ସହରରେ ଅଛି । ହଜାର ହଜାର ସଂଖ୍ୟାରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିଛି ।ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସଞ୍ଜୀବ ମାରିକ୍ କହିଛନ୍ତି, ଭୁବନେଶ୍ୱର ଜନସଂଖ୍ୟା ଏତେ ବି ବଢ଼ିନି । କିନ୍ତୁ ଏବେଠୁ ପଲିସି ଲାଗୁ ହେଲେ, ଆଗକୁ ଆଇନଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ ସହଜ ହୋଇପାରିବ । କାହିଁକି ନା, ଦିଲ୍ଲୀ ଓ ମୁମ୍ବାଇ ଭଳି ଅନ୍ୟ ସହରରେ ଅନେକ ଆଗରୁ ଏଭଳି ବ୍ୟବସ୍ଥା ରହିଛି । ଥାନାର ସୀମା ନିର୍ଦ୍ଧାରଣ ଉପରେ ବି ଧ୍ୟାନ ଦିଆଯାଉ ।
ତଥ୍ୟ ଅନୁସାରେ ୨୦୦୮ରେ ଯେତେବେଳେ କଟକ-ଭୁନେଶ୍ବର ପୋଲିସ କମିଶନରେଟ ଗଠନ ହେଲା ସେତେବେଳେ ରାଜଧାନୀର ଜନସଂଖ୍ୟା ଥିଲା ୧୨ ଲକ୍ଷ ୬୬ ହଜାର ୩୪୦। ୨୦୨୪ ସୁଦ୍ଧା ଭୁବନେଶ୍ବର ଲୋକସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇ ୨୭ଲକ୍ଷ ୬୪ହଜାର ୪୮୮ରେ ପହଞ୍ଚିଛି। ଦିନକୁ ଦିନ ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ।
