ନ୍ୟୁଜ ଡେକ୍ସ: ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଗୁରୁବାର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ଓ ୨୧ ତାରିଖରେ ବି ବର୍ଷା ହେବ । ଆସନ୍ତା ତିନି ଦିନ ଯାଏ ପୂରା ରାଜ୍ୟରେ ଦିନବେଳା ପାଗ କୋହଲା ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହେଇପାରେ । ୨୦ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ବର୍ଷା ସମ୍ଭାବନା ଅଛି ।
ସେପଟେ ରାଜ୍ୟରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ମଙ୍ଗଳବାର ରାତିରୁ ଉପରମୁହାଁ ହୋଇଛି ପାରଦ। ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବଢିଛି। ତେବେ ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ତାପମାତ୍ରା କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।