ନ୍ୟୁଜ ଡେକ୍ସ: ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ। ରାଜ୍ୟର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ ଲେଖାଏଁ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି। ଖାତାଦେଖା ଲାଗି ପରୀକ୍ଷକମାନେ ମଙ୍ଗଳବାର ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି।
ଖାତାଦେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ କେତେକ ୟୁନିଟ୍ ଗଠନ କରାଯାଇଛି । ପ୍ରତି ୟୁନିଟ୍ରେ ଜଣେ ମୁଖ୍ୟ ପରୀକ୍ଷକ, ଦୁଇ ଜଣ ଉପପରୀକ୍ଷକ, ଦୁଇ ଜଣ ସ୍କ୍ରୁଟିନାଇଜର, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି । ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ମଧ୍ୟ ଦାୟିତ୍ୱରେ ରହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୂଲ୍ୟାୟନକାରୀ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ।୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । ଗତ ମାସ ୨୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଯାହା ଚଳିତ ମାସ ୬ ତାରିଖରେ ଶେଷ ହୋଇଛି। ବୋର୍ଡର ପୂର୍ବ ନିଷ୍ପତ୍ତି ମୁତାବକ ଆଜିଠାରୁ ମୂଲ୍ୟାୟନ କାମ ଆରମ୍ଭ ହୋଇଛି।
ଯାହା ତ୍ରୁଟିଶୂନ୍ୟ ଭାବେ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ତେବେ ବିଜ୍ଞାନ ପରୀକ୍ଷା ବେଳେ ସି ସେଟ୍ ସବଜେକଟିଭ୍ରେ ୪ ନମ୍ବର ମିସ୍ପ୍ରିଣ୍ଟ୍ ରହିଥିଲା। ଯାହା ଉପରେ ଗ୍ରେସ୍ ମାର୍କ ମିଳିବ କି ନାହିଁ ତାହା ଏଯାଏଁ ସ୍ଥିର ହୋଇନି। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଡକ୍ଟ କମିଟି ନିଷ୍ପତ୍ତି ନେବ ବୋଲି ପୂର୍ବରୁ କୁହାଯାଇଛି। ଉକ୍ତ ନିର୍ଦେଶନାମା ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଖାତା ଦେଖା କାର୍ଯ୍ୟରେ ନିୟୋଜିତ ଶିକ୍ଷକ କହିଛନ୍ତି।
