Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଫେବୃୟାରୀ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ସୁଚାରୁ ଭାବେ ସଫଳ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ରାଷ୍ଟ୍ରପତିଙ୍କ ଗତିବିଧି, ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ପ୍ରୋଟୋକଲ୍ ଓ କାର୍ଯ୍ୟକ୍ରମ ସମନ୍ୱୟ ନେଇ ସୂକ୍ଷ୍ମ ଆଲୋଚନା କରାଯାଇଥିଲା।ସୂଚନା ଅନୁସାରେ, ରାଷ୍ଟ୍ରପତି ୨ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚି ଲୋକଭବନରେ ରାତ୍ରିବାସ କରିବେ। ୩ ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ଦର୍ଶନ କରିବେ। ପରେ ବାଲେଶ୍ୱରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସଂଧ୍ୟାରେ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିବେ।

୪ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ୫ ଓ ୬ ତାରିଖରେ ରାଇରଙ୍ଗପୁର ଓ ସିମିଳିପାଳ ଅଞ୍ଚଳରେ ଜନସମ୍ପର୍କ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନିର୍ବିଘ୍ନ କରିବା ପାଇଁ ସମସ୍ତ ବିଭାଗ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସତର୍କ ଓ ସମନ୍ୱିତ ଭାବେ କାମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *