Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ତାଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ଡିଜି ୱାଇ.ବି. ଖୁରାନିଆ, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଓ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମଧ୍ୟ ଉପସ୍ଥିତ ଥିଲେ।ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ଲୋକଭବନକୁ ଯାଇ ସେଠାରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଭେଟ କରିଥିଲେ। ୩ ତାରିଖ ସକାଳେ ସେ ଲୋକଭବନରୁ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରେ ଅବତରଣ କରି ମା’ ବିରଜାଙ୍କ ଦର୍ଶନ କରିବେ। ପରେ ବାଲେଶ୍ବରସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ସନ୍ଧ୍ୟାରେ ସେ ପୁରୀ ପହଞ୍ଚି ପୁରୀ ଲୋକଭବନରେ ରାତ୍ରିଯାପନ କରିବେ। ୪ ତାରିଖ ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ଆଳତି ଦର୍ଶନ ଓ ପିଣ୍ଡଦାନ କାର୍ଯ୍ୟକ୍ରମରେ ଯୋଗଦେବେ।

ପରେ ସେ ମୟୂରଭଞ୍ଜର ରାଇରଙ୍ଗପୁର ଯାଇ ହଲିଡେ ହୋମ୍ ଉଦ୍ଘାଟନ, ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ।୬ ତାରିଖରେ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଭୁବନେଶ୍ବର ଫେରିବେ। ୭ ତାରିଖ ସକାଳେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ। ଏହି ସମଗ୍ର ଗସ୍ତ ସମୟରେ ଭୁବନେଶ୍ବର, ଯାଜପୁର, ବାଲେଶ୍ବର, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *