Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଉ କିଛି ଦିନ ପରେ ଭଦ୍ରକ ଜିଲ୍ଲାର ବଙ୍ଗୋପସାଗର ସୀମା ଭିତର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଙ୍କ ଭିଡ ଜମିବା ଆଶା ରହିଛି । ପ୍ରତିବର୍ଷର ଭଳି ଏହି ବର୍ଷ ମଧ୍ୟ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏହି ବିରଳ ପ୍ରଜାତିର କଇଁଛ ଆସି ପ୍ରଜନନ କରିବେ । ବିଶ୍ୱ ପରିଚିତ ଏହି ଅଞ୍ଚଳରେ କଇଁଛ ପ୍ରଜନନ ପ୍ରକ୍ରିୟା ନିରାପଦ ଭାବେ ସଂପନ୍ନ ହେବା ପାଇଁ ବନବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି ।

ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଗହୀରମଥା ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିବ କଟକଣା ।ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧ ଥିବାବେଳେ, କଇଁଛଙ୍କ ଅଣ୍ଡାଦାନ ସମୟରେ ମତ୍ସବିଭାଗ ପକ୍ଷରୁ ଧାମରା ମୁହାଁଣ ସମୁଦ୍ରକୂଳ ଠାରୂ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି ।

ଏହା ସହିତ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ହେବ । ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର ଓ ୧୪ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ କ୍ୟାମ୍ପ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *