Thu. Feb 26th, 2026

ନ୍ୟୁଜ ଡେକ୍ସ : ହିଂସା ଘଟଣାର ୮ ଦିନ ପରେ ଶେଷରେ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି। ଗତ ସୋମବାର ସଂଧ୍ୟା ୬ଟାରୁ ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଲାଗୁ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ୬ ଥର ଏହି କଟକଣା ବୃଦ୍ଧି କରାଯାଇଥିଲା। ଆଜି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ରହିବା ପରେ ପ୍ରଶାସନ ଏହାକୁ ଉଠାଇ ନେଇଛି।ଏମ୍‌ଭି-୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହୋଇଥିବା ହିଂସା ଓ ଜଳାପୋଡା ଘଟଣାରେ ଗାଁ ଅଞ୍ଚଳରେ ତନାବ ଦେଖାଦେଇଥିଲା।

ଏହି ହିଂସାକାଣ୍ଡର ୭ ଦିନ ପରେ ଭାରତୀୟ ରେଡ଼କ୍ରସ ସୋସାଇଟି ପକ୍ଷରୁ ଏମ୍‌ଭି-୨୬ ଗାଁରେ ରିଲିଫ ସାମଗ୍ରୀ ପହଞ୍ଚାଯାଇଛି। ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ସହିତ ଥଇଥାନ କାର୍ଯ୍ୟ ଜାରି ରଖିଛି।ହିଂସା ଓ ଜଳାପୋଡା ଘଟଣାରେ ଆଜି ମାଲକାନଗିରି ସଦର ଥାନା ପୁଲିସ୍‌ ଆଉ ୯ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ତଦନ୍ତ ଜାରି ରଖିଛି। ସେହି ସହ ଏମ୍‌ଭି-୨୬ ଓ ରାଖାଲଗୁଡା ଗାଁରୁ ବିଏନ୍‌ଏସ୍‌ ଧାରା ୧୬୩ ମଧ୍ୟ ଉଚ୍ଛେଦ କରାଯାଇଛି। ଏହି ମଧ୍ୟରେ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏମ୍‌ଭି-୨୬ ଓ ରାଖାଲଗୁଡା ଗାଁକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ସେ ଗାଁକୁ ଯାଇ ଘରେ ଘରେ ଲୋକଙ୍କୁ ଭେଟି ଦୁଃଖ ଦୁର୍ଦ୍ଦଶା ବିଷୟରେ ଜାଣିଥିଲେ। ହିଂସାକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କଥା ସେ ସ୍ୱୀକାର କରିଥିଲେ।ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ପ୍ରଥମ ଦିନଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଧୀରେ ଧୀରେ ଗାଁରେ ଶାନ୍ତି ଫେରୁଛି ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *