ନ୍ୟୁଜ ଡେକ୍ସ: ଅପେକ୍ଷାର ଘଟିଲା ଅନ୍ତ । ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ସାରା ବିଶ୍ୱ ବୈଜ୍ଞାନିକଙ୍କ ସଫଳତା ପାଇଁ ବେଶ ଖୁସି। କାରଣ ଦୀର୍ଘ ୯ ମାସର ପରିଶ୍ରମ ତା’ର ସଫଳ ହୋଇଛି । ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ (SpaceX) ଡ୍ରାଗନ୍ କ୍ୟାପ୍ସୁଲ୍ ମାଧ୍ୟମରେ ଫ୍ଲୋରିଡା ତଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ମିଳିଛି ସଫଳତା।
ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍। ପୃଥିବୀକୁ ଫେରିବା ପୂର୍ବରୁ ଏଥିଲା ସୁନୀତାଙ୍କ ପାଇଁ କିଛି କିଛି ସ୍ଥାନରେ ପ୍ରାର୍ଥନା, ହୋମ ଯଜ୍ଞ, ସହ ଭଗବାନଙ୍କୁ ହୃଦୟରୁ ଡାକିଥିଲେ ଲୋକେ। ସୁନୀତାଙ୍କ ସଫଳ ଯାତ୍ରା ପାଇଁ କାମନା କରିଥିଲେ।ଭାରତୀୟ ସମୟ ଅନୁସାରେ, ମାର୍ଚ୍ଚ ୧୮ (ମଙ୍ଗଳବାର) ସକାଳେ ମହାକାଶଚାରୀମାନେ ସ୍ପେଶଏକ୍ସ କ୍ୟାପସୁଲରେ ବସିଥିଲେ। ୨ ଘଣ୍ଟା ପରେ ସେମାନଙ୍କ ସ୍ପେଶକ୍ରାଫ୍ଟ (ଡ୍ରାଗନ୍ କ୍ୟାପସୁଲ) ISSରୁ ଅନଡକିଂ ହୋଇଥିଲା । ପୃଥିବୀ ପୃଷ୍ଠ ଲାଗି ଦୀର୍ଘ ୧୭ ଘଣ୍ଟାର ଯାତ୍ରା ଆରମ୍ଭ କରିଥିଲା ଡ୍ରାଗନ୍ କ୍ୟାପସୁଲ। କ୍ରୁ-୯ ସଦସ୍ୟର ସମସ୍ତ ୪ ମହାକାଶଚାରୀ ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର, ନିକ ହଗ୍ ଏବଂ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ମାର୍ଚ୍ଚ ୧୯(ବୁଧବାର)ରେ ଫ୍ଲୋରିଡା ତଟରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୪ ମସିହା ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ISS)ରେ ପହଞ୍ଚିଥିଲେ। ୮ ଦିନ ପାଇଁ ISS ଯାଇଥିବା ୪ ମହାକାଶଚାରୀ ସେମାନଙ୍କ ମହାକାଶଯାନର ତ୍ରୁଟି ଲାଗି ଫେରିବାରେ ବିଳମ୍ବ ହୋଇଥିଲା। ଶେଷରେ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।
