ନ୍ୟୁଜ ଡେକ୍ସ: ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ।
ଏହି ନୂଆ ଓ୍ଵାକଫ ଆଇନ ଭାରତରେ ଓ୍ଵାକଫ ସମ୍ପତ୍ତିର ଉନ୍ନତ ପରିଚାଳନା ପାଇଁ କାମ କରିବ। ୧୯୯୫ର ଓ୍ଵାକଫ ଆଇନକୁ ଏହା ବଦଳାଇବ। ଗତ ବର୍ଷ ଅଗଷ୍ଟରେ ଏହି ବିଲ୍ ପାର୍ଲିମେଣ୍ଟରେ ଆଗତ ହୋଇଥିଲା। କିନ୍ତୁ ବିରୋଧୀ ଦଳ ଓ କିଛି ମୁସଲିମ ସଂଗଠନର ବିରୋଧ ପରେ ଏହାକୁ ଜଏଣ୍ଟ ପାର୍ଲିମେଣ୍ଟାରୀ କମିଟି (ଜେପିସି)କୁ ପଠାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଏହି କମିଟି ଅନେକ ଦିନ ଆଲୋଚନା କରିଥିଲେ। ଶେଷରେ ଏପ୍ରିଲ୍ ୨ ତାରିଖରେ ବଜେଟ୍ ଅଧିବେଶନରେ ବିଲ୍ ଉପସ୍ଥାପିତ ହୋଇଥିଲା।ଏହାର ପରଦିନ ଅର୍ଥାତ ୩ ତାରିଖ (ଗୁରୁବାର) ବିଳମ୍ବିତ ରାତିରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲା । ରାଜ୍ୟସଭାରେ ବିଲ୍ ସମର୍ଥନରେ ୧୨୮ ଖଣ୍ଡ ଭୋଟ ପଡ଼ିଥିଲା ବେଳେ ବିରୋଧରେ ୯୫ ଭୋଟ୍ ପଡ଼ିଥିଲା ।
ଏହାପରେ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିସାରିଛି । ଏହି ଆଇନ ୱାକଫ୍ ସମ୍ପତ୍ତିର ଦୂରୁପଯୋଗ ରୋକିବ ବୋଲି କେନ୍ଦ୍ର ଦାବି କରୁଥିବା ବେଳେ ବିରୋଧୀମାନେ ଏହାକୁ ଧାର୍ମିକ ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି । ବିଲ୍କୁ କଂଗ୍ରେସ, ଆପ୍ ସମେତ ଏଆଇଏମ୍ଆଇଏମ୍ ଭଳି ଦଳ ବିରୋଧ କରିଛନ୍ତି । ବିଲ୍ ବିରୋଧରେ କଂଗ୍ରେସ, ଆପ୍ ଏବଂ ଏଆଇଏମ୍ଆଇଏମ୍ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପ୍ ବିଧାୟକ ଅମାନୁତୁଲ୍ଲା ଖାନ୍ ପିଟିସନ୍ ଦାଖଲ କରିଛନ୍ତି । ୱାକଫ୍କୁ ନେଇ ସରକାରଙ୍କ ଏହି ପଦକ୍ଷେପ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବ ବୋଲି ସେ କହିଛନ୍ତି । କିଛି ରାଜ୍ୟରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବି କରାଯାଉଛି ।
