ନ୍ୟୁଜ ଡେକ୍ସ : ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ଏହି ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଷ୍ଟ୍ରିମର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି।
ସିଏଚ୍ଏସ୍ଇ ସୂଚନା ଅନୁଯାୟୀ, ବିଜ୍ଞାନ ଷ୍ଟ୍ରିମରୁ ଫର୍ମ ପୂରଣ କରିଥିବା ୧ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀଙ୍କ ସହିତ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରୁ ଆଉ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି। ସମୁଦାୟରେ ୨ ଲକ୍ଷ ୩୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରାକ୍ଟିକାଲରେ ଅଂଶ ନେଉଛନ୍ତି।ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ, ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି ଏବଂ ସୁଚାରୁ ଭାବେ ପରୀକ୍ଷା ଚାଲିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ମାର୍ଚ୍ଚ ୨୫ ଯାଏ ସିଏଚ୍ଏସ୍ଇ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ। ସବୁ ଷ୍ଟ୍ରିମ ମିଶାଇ ମୋଟ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ରାଜ୍ୟର ୩୦ଟି ଜିଲ୍ଲାରେ ୧୩୫୦ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି।ପରୀକ୍ଷା ସୁଚାରୁ ଚାଳନା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପୂର୍ବରୁ ଦୁଇଜଣ କରି ସ୍କ୍ୱାଡ୍ ନିଯୁକ୍ତ ହୋଇଛନ୍ତି। ପ୍ରାକ୍ଟିକାଲ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ଚିହ୍ନଟ ପ୍ରମାଣପତ୍ର ସହିତ ପରୀକ୍ଷା ହଲରେ ପ୍ରବେଶ କରିବାକୁ ପଡ଼ିବ। ଏହାସହିତ, ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିଲେ ପ୍ରାକ୍ଟିକାଲ ପରୀକ୍ଷା ଦେବାର ସୁଯୋଗ ମିଳିବ।

