ନ୍ୟୁଜ ଡେକ୍ସ : ନାଇଜେରିଆର ଉତ୍ତର ଅଞ୍ଚଳର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣିଥରେ ଟାର୍ଗେଟ କରି ଭୟାବହ ଆକ୍ରମଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଗୁଳିଚାଳନା ଘଟଣାରେ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ଏବଂ ଅନେକ ଲୋକଙ୍କୁ ଅପହରଣ କରାଯାଇଛି। ଅପହୃତଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଦାବି କରାଯାଇଛି। ଗତ କିଛି ଦିନ ମଧ୍ୟରେ ଉତ୍ତର ନାଇଜେରିଆରେ ଏହା ଦ୍ୱିତୀୟ ଏପରି ରକ୍ତରଞ୍ଜିତ ଘଟଣା।
ଏହି ଆକ୍ରମଣକୁ ନେଇ କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ଚର୍ଚ୍ଚ କହିଛି ଯେ ଏହି ହିଂସାତ୍ମକ ଆକ୍ରମଣରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ଆଧିକାରିକ ସଂଖ୍ୟାଠାରୁ ଅଧିକ।ଉଲ୍ଲେଖନୀୟ ଯେ, ନାଇଜେରିଆରେ ଏପରି ଆକ୍ରମଣ ପ୍ରଥମ ଥର ଘଟୁନାହିଁ। କିଛି ମାସ ପୂର୍ବରୁ ମଧ୍ୟ ବନ୍ଧୁକଧାରୀମାନେ ସମାନ ଧରଣର ଆକ୍ରମଣ କରି ୨୦୦ରୁ ଅଧିକ ସ୍କୁଲ ପିଲା ଏବଂ ସେମାନଙ୍କ ଶିକ୍ଷକଙ୍କୁ ଅପହରଣ କରିଥିଲେ। ସେହି ଘଟଣା ପାଇଁ ଉଗ୍ରପନ୍ଥୀ ସଂଗଠନ ବୋକୋ ହରାମ ଦାୟୀ ଥିବା ସନ୍ଦେହ କରାଯାଇଥିଲା।
ଏହି ଘଟଣାକୁ ନେଇ CAN (କ୍ରିଷ୍ଟିଆନ୍ ଆସୋସିଏସନ୍ ଅଫ୍ ନାଇଜେରିଆ)ର ନାଇଜର ଷ୍ଟେଟ୍ ଚାପ୍ଟରର ମୁଖପାତ୍ର ଡାନିଏଲ୍ ଆଟୋରି କହିଛନ୍ତି, “ମୁଁ ଗାଁରୁ ଫେରିଛି। ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ଅଭିଭାବକଙ୍କୁ ଭେଟିଛି ଏବଂ ସେମାନଙ୍କୁ ଆଶ୍ୱାସନ ଦେଇଛି ଯେ ଆମେ ସରକାର ଏବଂ ସୁରକ୍ଷା ଏଜେନ୍ସି ସହିତ ମିଶି ଅପହୃତ ପିଲାମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ କାମ କରୁଛୁ।”ଲଗାତାର ଏପରି ହିଂସାତ୍ମକ ଘଟଣା ନାଇଜେରିଆର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।

