ନ୍ୟୁଜ ଡେକ୍ସ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତକୁ ଟାରିଫ୍ ବୃଦ୍ଧିର ଧମକ ଦେଇଛନ୍ତି। ଭାରତ ଯଦି ରୁଷଠୁ ତେଲ ଆମଦାନୀ ଜାରି ରଖେ, ତେବେ ଆମେରିକା ପକ୍ଷରୁ ଆହୁରି କଠୋର ଟାରିଫ୍ ଲଗାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏକ ସାର୍ବଜନିକ ବୟାନରେ ସେ କହିଛନ୍ତି, “ମୋତେ ଖୁସି କରିବା ଜରୁରୀ।”ତଥାପି, ଏହି ବୟାନ ସହିତ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ‘ଭଲ ଲୋକ’ ବୋଲି କହିଛନ୍ତି।
ଟ୍ରମ୍ପ କହିଛନ୍ତି, “ମୋଦୀ ଜାଣିଥିଲେ ଯେ ମୁଁ ଖୁସି ନୁହେଁ। କିନ୍ତୁ ଯଦି ଭାରତ ରୁଷଠୁ ତେଲ କିଣିବା ଜାରି ରଖେ, ତେବେ ଟାରିଫ୍ ବଢ଼ାଇବୁ।”ଉଲ୍ଲେଖନୀୟ ଯେ, ଅଗଷ୍ଟ ୨୦୨୫ରେ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଚାଲୁଥିବା ବାଣିଜ୍ୟ ଚୁକ୍ତିକୁ ଅଟକାଇ ଦେଇଥିଲା। ସେ ସମୟରେ ଭାରତ ଡେରୀ ଓ କୃଷି କ୍ଷେତ୍ରରେ ଆମେରିକାକୁ ପ୍ରବେଶ ଦେବାକୁ ମନା କରିଥିଲା। ୟୁକ୍ରେନ୍ ଯୁଦ୍ଧ ପରେ ଭାରତ ରୁଷଠୁ ଶସ୍ତା ଅଶୋଧିତ ତୈଳ କିଣି ସବୁଠାରୁ ବଡ଼ କ୍ରେତା ଭାବେ ଉଭୟ ହୋଇଛି। ୟୁରୋପିୟ ଦେଶମାନେ ଏହାକୁ ରୁଷର ଯୁଦ୍ଧ ପ୍ରୟାସକୁ ପରୋକ୍ଷ ସହଯୋଗ ବୋଲି ଆପତ୍ତି କରୁଛନ୍ତି।ଏକ ରିପୋର୍ଟ ଅନୁସାରେ, ଗତବର୍ଷ ନଭେମ୍ବର ମାସରେ ଭାରତର ରୁଷଠୁ ତେଲ ଆମଦାନୀ ପୂର୍ବ ଛଅ ମାସ ତୁଳନାରେ ସର୍ବାଧିକ ସ୍ତରକୁ ପହଞ୍ଚିଥିଲା।
ଏହା ଭାରତର ସମୁଦାୟ ତେଲ ଆମଦାନୀରେ ରୁଷର ଅଂଶିଦାରିକୁ ପ୍ରାୟ ୩୫ ପ୍ରତିଶତରେ ପହଞ୍ଚାଇଛି। ଏହି ସମୟରେ ଭାରତର ତେଲ ଆମଦାନୀରେ ଆମେରିକାର ଅଂଶିଦାରି ପ୍ରାୟ ୧୩ ପ୍ରତିଶତ ଥିଲା।ଟାରିଫ୍ ଯୁଦ୍ଧ ପରେ ଆମେରିକା-ଭାରତ ବାଣିଜ୍ୟିକ ଚୁକ୍ତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇପାରିନାହିଁ। ଏହା ମଧ୍ୟରେ ଭାରତ ରୁଷଠୁ ଅଧିକ ପରିମାଣରେ ତେଲ ଆମଦାନୀ କରି ଚାଲିଛି, ଯାହା ନଭେମ୍ବର ୨୦୨୫ରେ ସାତ ମାସର ସର୍ବାଧିକ ସ୍ତରରେ ଥିଲା।ଦୀର୍ଘ ବର୍ଷ ଧରି ମଜବୁତ ଥିବା ଭାରତ-ରୁଷ ସମ୍ପର୍କ ମଧ୍ୟରେ ଟ୍ରମ୍ପଙ୍କ ଟାରିଫ୍ ନୀତି ନୂଆ ଅସନ୍ତୋଷ ସୃଷ୍ଟି କରିଛି। ଭେନେଜୁଏଲାରେ ମାଦୁରୋଙ୍କୁ ଗିରଫ କରାଯିବା ଘଟଣା ପରେ ଏହି ବୟାନ ଆସିଥିବା ନେଇ ଆନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା ତେଜ ହୋଇଛି।

