ନ୍ୟୁଜ ଡେକ୍ସ : ସଂସଦର ଆସନ୍ତା ବଜେଟ ଅଧିବେଶନ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହି ସୂଚନା ସାର୍ବଜନୀନ କରିଛନ୍ତି।ମନ୍ତ୍ରୀ ଶ୍ରୀ ରିଜିଜୁଙ୍କ କହିବାନୁସାରେ, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବ।
ଏହା ପରେ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୨ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆୟୋଜିତ ହେବ।ଏହି ଅଧିବେଶନର ମୁଖ୍ୟ ଆକର୍ଷଣ ହେବ ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କେନ୍ଦ୍ରୀୟ ବଜେଟ ଉପସ୍ଥାପନ। ଏହା ପୂର୍ବରୁ ଜାନୁଆରୀ ୨୯ ତାରିଖରେ ଦେଶର ଅର୍ଥନୈତିକ ସ୍ଥିତିକୁ ଉଜାଗର କରୁଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହେବ।
ଶ୍ରୀ ରିଜିଜୁ କହିଛନ୍ତି ଯେ, ଏହି ବଜେଟ ଅଧିବେଶନ ଦେଶର ଉନ୍ନତି ସହିତ ଜନସାଧାରଣଙ୍କ ସ୍ୱାର୍ଥ ସଂପୃକ୍ତ ବିଷୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବିତ ହେବ। ଲୋକ-କେନ୍ଦ୍ରିକ ଶାସନ ଓ ନୀତିଗତ ସଂସ୍କାର ଦିଗରେ ଏହି ଅଧିବେଶନ ଏକ ନୂଆ ଦିଗ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

