ନ୍ୟୁଜ ଡେକ୍ସ : ୨୦୧୩ ମସିହାରେ ଗୁଟ୍ଖା ନିଷେଧ ପରେ ଓଡ଼ିଶା ସରକାର ଏବେ ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରୟକୁ ରାଜ୍ୟରେ ଅବୈଧ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା (IARC) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ ଜର୍ଦ୍ଦା, ଖଇନି, ଗୁଟ୍ଖା ଓ ଅନ୍ୟ ତମାଖୁ ଉତ୍ପାଦ କର୍କଟ ରୋଗର ପ୍ରମୁଖ କାରଣ।
ଏହା ସହ ପାନମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଧୂଆଁହୀନ ତମାଖୁ ଉତ୍ପାଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି।ବିଶ୍ୱ ବୟସ୍କ ତମାଖୁ ସର୍ବେକ୍ଷଣ (GATS)ର ଦ୍ୱିତୀୟ ରାଉଣ୍ଡ ଅନୁଯାୟୀ, ଓଡ଼ିଶାର ୪୨ ପ୍ରତିଶତ ଲୋକ ଧୂଆଁହୀନ ତମାଖୁ ସେବନ କରୁଛନ୍ତି, ଯାହା ଜାତୀୟ ହାରଠାରୁ ଦୁଇଗୁଣ ଅଧିକ। ୨୦୧୩ରେ ତମାଖୁ ଓ ନିକୋଟିନ୍ ଉତ୍ପାଦ ଉପରେ ନିଷେଧ ଘୋଷଣା ସତ୍ତ୍ୱେ କିଛି କମ୍ପାନୀ ତମାଖୁ ଓ ଚୋବାଇବା ଉତ୍ପାଦକୁ ଅଲଗା ପ୍ୟାକେଟ୍ରେ ବିକ୍ରୟ କରି ଆଇନକୁ ଟାଳୁଥିଲେ।
ଏହା ଦ୍ୱାରା ଲୋକେ ପୂର୍ବଭଳି ଦୁଇଟିକୁ ମିଶାଇ ସେବନ କରୁଥିଲେ। ଏଭଳି ଅନିୟମକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ସଂପୂର୍ଣ୍ଣ କଟକଣା ଲଗାଇବାକୁ ପରାମର୍ଶ ଦେଇଥିଲେ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଗଭୀର ଆଶଙ୍କାକୁ ଧ୍ୟାନରେ ରଖି ଏବେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି।

