Sat. Feb 21st, 2026

ନ୍ୟୁଜ ଡେକ୍ସ : ଗାଡ଼ି ଚାଳକ ଓ ମାଲିକଙ୍କ ପାଇଁ କେନ୍ଦ୍ର ସରକାର କଠୋର ନିୟମ ଲାଗୁ କରିଛନ୍ତି। ଏବେ ଯଦି କୌଣସି ଗାଡ଼ିର ଚାଲାଣ ବକେୟା ରହିଥାଏ, ତେବେ ସେ ଗାଡ଼ି ସହ ସଂପୃକ୍ତ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ି ପଞ୍ଜୀକରଣ ସମ୍ପର୍କିତ କୌଣସି ଆବେଦନ ଆଗକୁ ବଢ଼ିବ ନାହିଁ।ମୋଟର ଯାନ ନିୟମରେ ସଂଶୋଧନ କରି କେନ୍ଦ୍ର ସରକାର ଏହି ବ୍ୟବସ୍ଥା ୨୦୨୬ ଜାନୁଆରି ୧ ତାରିଖରୁ ଲାଗୁ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ିରେ ବର୍ଷକୁ ୫ ଥର କିମ୍ବା ତାଠାରୁ ଅଧିକ ଚାଲାଣ କଟେ, ତେବେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

କୋର୍ଟ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡ଼ିକୁ ଜବତ କରାଯାଇପାରିବ। ଏହା ସହ, ୟୁନିଫର୍ମ ପିନ୍ଧିଥିବା ପୁଲିସ କିମ୍ବା ରାଜ୍ୟ ସରକାର ସ୍ୱୀକୃତ ଅଧିକାରୀମାନେ ଚାଲାଣ କାଟିପାରିବେ।ନିୟମ ଅନୁଯାୟୀ, ଚାଲାଣ ସୂଚନା ଖିଲାପିଙ୍କୁ ୧୫ ଦିନ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ଓ ୩ ଦିନ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ।

ଏସ୍ଏମଏସ୍ ଓ ଇମେଲ୍ ମାଧ୍ୟମରେ ମଧ୍ୟ ଏହା ମିଳିପାରିବ। ଖିଲାପି ୪୫ ଦିନ ମଧ୍ୟରେ ଚାଲାଣକୁ ଗ୍ରହଣ କରିବେ କିମ୍ବା ତାହା ବିରୋଧରେ ଆପତ୍ତି ଦାଖଲ କରିପାରିବେ। ସମୟ ସୀମା ଶେଷ ପରେ କୌଣସି ପଦକ୍ଷେପ ନେଇନଥିଲେ, ସେ ଚାଲାଣକୁ ଗ୍ରହଣ କରିଥିବା ବୋଲି ଧରାହେବ। ଏହା ପରେ ୩୦ ଦିନ ମଧ୍ୟରେ ଚାଲାଣ ପଇଠ କରିବା ଅନିବାର୍ୟ।

Leave a Reply

Your email address will not be published. Required fields are marked *