Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର ରହିଛି। କଟକ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ଜରୁରୀ ବୈଠକରେ ଏହି ସିଦ୍ଧାନ୍ତ ନିଆଯାଇଛି। ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଅଧିକାଂଶ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଆଜି ପୂର୍ବାହ୍ନରେ ପରିବହନ ବିଭାଗ ମୁଖ୍ୟାଳୟରେ ଘଟିଥିବା ଆଲୋଚନାରେ, ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ‘ଲକ୍ଷ୍ମୀ ବସ୍’ ଚଳାଇବାକୁ ସରକାର ନେଇଥିବା ନିଷ୍ପତ୍ତି ଓ ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘର ବିରୋଧ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା।ଏହି ସମସ୍ୟାର ସମାଧାନ ପାଇଁ ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା, ପରିବହନ ବିଭାଗ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ ସଂଯୁକ୍ତ କମିଟି ଗଠନ କରାଯାଇଛି। କମିଟିର ନିଷ୍ପତ୍ତି ଉପରେ ଧର୍ମଘଟ ହେବ କି ନାହିଁ, ସେଥି ନିର୍ଭର କରିବ।ତେବେ କମିଟିର କୌଣସି ସ୍ପଷ୍ଟ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଧର୍ମଘଟ ଡାକରା ବଳବତ୍ତର ରହିବ ବୋଲି ବସ୍ ମାଲିକ ସଂଘ ସୂଚନା ଦେଇଛି।

ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, କାଲି ସଂଧ୍ୟା ୫ଟାରେ ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତାଙ୍କ କହିବାନୁସାରେ, ଅଧିକାଂଶ ଜିଲ୍ଲାରେ ବିବାଦ ସମାଧାନ ହୋଇଯାଇଥିବା ବେଳେ କେବଳ ଜଗତସିଂହପୁର ଜିଲ୍ଲାରେ ଏହା ଏବେ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହି ଏକମାତ୍ର ଜିଲ୍ଲାର ବିବାଦ ପାଇଁ ସମ୍ପୂର୍ଣ୍ଣ ରାଜ୍ୟରେ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହାର କରାଯାଇପାରୁ ନାହିଁ ବୋଲି ସଂଘ କହିଛି।ଅନ୍ୟପଟେ, ରାଜ୍ୟ ପରିବହନ ପ୍ରାଧିକରଣ ଆଶା ପ୍ରକାଶ କରିଛି ଯେ ଆଗାମୀ ଦିନରେ ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟ ଡାକରା ପ୍ରତ୍ୟାହାର କରିବ।

Leave a Reply

Your email address will not be published. Required fields are marked *