Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବରିଷ୍ଠ ନାଗରିକ ଓ ବିଧବା ମହିଳାମାନଙ୍କ ପାଇଁ ମୋହନ ସରକାର ଏକ ବଡ଼ ସୁଖବର ଆଣିଛନ୍ତି। ଖୁବଶୀଘ୍ର ରାଜ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଆରମ୍ଭ ହେବ, ଯାହା ଅନୁସାରେ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ପୁରୀ ନେଇ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରାଯିବ।ଏହି ଯୋଜନାକୁ ସଫଳ ଭାବେ ରୂପାୟଣ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ମତି ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ବାର୍ଦ୍ଧକ୍ୟ ପେନସନ ଓ ବିଧବା ପେନସନ ପାଉଥିବା ୬୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ପର୍ଯ୍ୟନ୍ତ ବିଧବା ମହିଳାମାନେ ସ୍ୱୟଂଚାଳିତ ଭାବରେ ଏହି ଯୋଜନାର ହିତାଧିକାରୀ ହେବେ। ତେବେ ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କର ସମ୍ମତି ଦେବା ଅତ୍ୟାବଶ୍ୟକ। ଏ ନେଇ ୧୩ ଜାନୁଆରୀରେ ସମସ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଏକ ସଂକ୍ଷିପ୍ତ ବୈଠକ ହୋଇସାରିଛି।

ଯୋଜନାକୁ କାର୍ଯ୍ୟକର କରିବା ପାଇଁ ୧୫ ଜାନୁଆରୀ, ଅର୍ଥାତ୍ ପେନସନ ବଣ୍ଟନ ଦିନ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କଠାରୁ ସମ୍ମତି ପତ୍ର ସଂଗ୍ରହ କରାଯିବ।ପର୍ଯ୍ୟଟନ ବିଭାଗ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଗଭୀର ଭାବେ ତଦାରଖ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ହଜାର ହଜାର ବରିଷ୍ଠ ନାଗରିକ ଓ ବିଧବା ମହିଳା ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇବେ, ଯାହା ତାଙ୍କ ଜୀବନରେ ଏକ ସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି ହେବ।

Leave a Reply

Your email address will not be published. Required fields are marked *