Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ କୁଖ୍ୟାତ ବ୍ୟାଙ୍କ ଡକାୟତ ସିପୁ କୁମାରକୁ ପୋଲିସ ଏନକାଉଣ୍ଟର କରିଛି। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ବଡ଼ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁକୁ ଧରିବାକୁ ଯାଇ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଏହି ଘଟଣା ଓଡ଼ିଶା–ଝାଡ଼ଖଣ୍ଡ ସୀମାସ୍ଥିତ ଟାଙ୍କୁରା ନିକଟ ଜଙ୍ଗଲରେ ଘଟିଥିଲା।ସୂଚନା ଅନୁସାରେ, ରାତି ସମୟରେ ବଡ଼ବିଲ ପୋଲିସ ସିପୁ ଲୁଚିଥିବା ଖବର ପାଇ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପୋଲିସକୁ ଦେଖି ସିପୁ ପଳାଇବାକୁ ଚେଷ୍ଟା କରିବା ସହିତ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜ ସୁରକ୍ଷା ପାଇଁ ପାଲଟା ଗୁଳି ଚଳାଇବାରୁ ସିପୁର ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲା।ଗୁରୁତର ଅବସ୍ଥାରେ ସିପୁକୁ ପୋଲିସ କାବୁ କରି ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ନିକଟରୁ ଏକ ଦେଶି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ତଳେ ବଡ଼ବିଲ ଥାନା ଅଞ୍ଚଳରେ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ବଡ଼ ଡକାୟତି ଘଟିଥିଲା।

ଏହି ଘଟଣାରେ ପୋଲିସ ପୂର୍ବରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଫେରାର ଥିଲା। ସିପୁ ବିହାରର ପାଟଣା ଜିଲ୍ଲାର ପିପରା ଗାଁର ବାସିନ୍ଦା ଏବଂ ଏକ ମୋଷ୍ଟ ୱାଣ୍ଟେଡ୍ ଆନ୍ତଃରାଜ୍ୟ ଅପରାଧୀ ଭାବେ ପରିଚିତ।ସିପୁ ନାମରେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ହତ୍ୟା, ଡକାୟତି, ରୋବରି, ବେଆଇନ ଅସ୍ତ୍ର ଧାରଣ ଓ ଜୋର-ଜବରଦସ୍ତ ଟଙ୍କା ଆଦାୟ ଭଳି ଅନେକ ସଙ୍ଗିନ ମାମଲା ରହିଛି।

ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ପୋଲିସ ସିପୁକୁ ଧରିବାକୁ ବିଭିନ୍ନ ସ୍ଥାନରେ ତଦନ୍ତ ଓ ନାକାବନ୍ଦି କରୁଥିଲା।ଅବଶେଷରେ ଟାଙ୍କୁରା ଜଙ୍ଗଲରେ ସେ ଲୁଚିଥିବା ଖବର ମିଳିବା ପରେ ଚାଲିଥିବା ଅଭିଯାନରେ ସିପୁ ପୋଲିସ ହାତରେ ଧରାପଡ଼ିଛି। ଏହି ଏନକାଉଣ୍ଟର ପରେ ବଡ଼ବିଲ ଓ ଆସପାସ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ପୋଲିସ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *