Fri. Apr 17th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ୧୬୭ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ କରାଯାଇଛି। ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀ ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ସହ ୧୦ରୁ ଅଧିକ ବସ୍ତିର ଲୋକମାନେ ଏହି ଯୋଜନାରେ ଲାଭାନ୍ବିତ ହୋଇଛନ୍ତି।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ଆବଣ୍ଟନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କୁ ଦିଆଯିବା ଘରଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ରହିବ। ବସ୍ତିବାସିନ୍ଦାଙ୍କ ପାଇଁ ୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେଉଛି, ଯେଉଁଠାରେ ଲିଫ୍ଟ ସୁବିଧା ମଧ୍ୟ ରହିବ। ଏହାର ସୁଚାଳନା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ସେ କହିଥିଲେ ଯେ, ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ରହୁଥିବା ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ମାର୍କେଟ କମ୍ପ୍ଲେକ୍ସ ସୁବିଧା ଦିଆଯିବ। ଏହାସହ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

ବସ୍ତିରେ ରହୁଥିବା ମଧ୍ୟବିତ୍ତ ପରିବାରଙ୍କୁ ସ୍ୱଳ୍ପ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।ଏହି ଅବସରରେ ମେୟର କହିଥିଲେ ଯେ, ବିଭିନ୍ନ ବିକାଶ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କିମ୍ବା ଉଚ୍ଛେଦ ହେବାକୁ ଥିବା ହିତାଧିକାରୀଙ୍କୁ ସରକାର ପର୍ଯ୍ୟାୟକ୍ରମେ ପକ୍କା ଘର ନିର୍ମାଣ କରି ଯୋଗାଇ ଦେଉଛନ୍ତି।

Leave a Reply

Your email address will not be published. Required fields are marked *