ନ୍ୟୁଜ ଡେକ୍ସ : ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ୧୦ ଜଣ ବରିଷ୍ଠ ଓଡ଼ିଶା ଅର୍ଥ ସେବା (OFS) ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜାନୁଆରୀ ୨୮ ତାରିଖରେ ଅର୍ଥବିଭାଗର ଅନୁସଚିବ ସୁନେଇନା ସିଂହ ଏହି ଚିଠି ଜାରି କରି ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କର ବଦଳି ସ୍ଥାନରେ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚିଠିରେ ସପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଏହା ପରେ ଆଉ କୌଣସି ସୁଯୋଗ ପ୍ରଦାନ କରାଯିବ ନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯୋଗ ନ ଦେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ନୋଟିସ ପାଇଥିବା ଅଧିକାରୀମାନେ ହେଲେ ବରିଷ୍ଠ OFS ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚି ମହାନନ୍ଦିଆ, ପଦ୍ମାବତୀ ନାୟକ ଓ ବିଭୂତେନ୍ଦୁ ପ୍ରତାପ ଲେଙ୍କା। ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଚିଠି ପାଇବାର ୭ ଦିନ ମଧ୍ୟରେ ସେମାନେ ନିଜ ବଦଳି ସ୍ଥାନରେ ଯୋଗ ନ ଦେଲେ କିମ୍ବା ବିଭାଗକୁ ଯଥୋଚିତ ଭାବେ ଅବଗତ ନ କରାଇଲେ, ତେବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ କହିଛନ୍ତି ଯେ, ଏହି ଅଧିକାରୀମାନଙ୍କୁ ପୂର୍ବରୁ ୨୦୨୫ ଅକ୍ଟୋବର ୧୬ ଓ ୨୪ ତାରିଖରେ ଦୁଇଥର ଲେଖିତ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ମୌଖିକ ଭାବରେ ମଧ୍ୟ ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲା।
ତଥାପି ସମ୍ପୃକ୍ତ ଅଧିକାରୀମାନେ ନିଜ କାର୍ଯ୍ୟସ୍ଥଳ ଛାଡ଼ୁନାହାନ୍ତି ଓ ନୂଆ ପଦସ୍ଥାପନାରେ ଯୋଗ ଦେଉନାହାନ୍ତି।ଏହି ଅବହେଳା ଯୋଗୁଁ ଅନେକ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି, ଯାହାକୁ ସରକାରୀ ଶୃଙ୍ଖଳାଭଙ୍ଗ ଓ ଅନୁଶାସନହୀନତା ଭାବେ ଗ୍ରହଣ କରାଯାଉଛି। ସରକାର ଏହାକୁ ଗମ୍ଭୀରତାର ସହ ନେଇଥିବା ବେଳେ, ଏହି ଶେଷ ସତର୍କବାଣୀ ପରେ ମଧ୍ୟ ଯଦି ଅଧିକାରୀମାନେ ନିର୍ଦ୍ଦେଶ ପାଳନ କରିନଥାନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ବୋଲି ଅର୍ଥବିଭାଗ ସ୍ପଷ୍ଟ କରିଛି।

