ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଗତକାଲି ଅର୍ଥାତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ। ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ। କର୍ଣ୍ଣ ଦେଶରେ କୁଣ୍ଡଳ, କଟିତଟରେ ଓଡିଆଣୀ,ମସ୍ତକରେ ତଡଗୀ, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି। ଏତଦ୍ ବ୍ୟତୀତ ଶ୍ରୀବିଗ୍ରହମାନେ ବିଭିନ୍ନ ପୁଷ୍କ ଅଳଙ୍କାର, ବାରଳାଗି ପାଟ ଶାଢ଼ି, ଫୁଟା, ଶିରକପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାଏ।
ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରିବା ସହ କିଛି ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ଏହି ମନଲୋଭା ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିର ରେ ପ୍ରବଳ ଜନସମାଗମ ହୋଇଛି। ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଆଶ୍ଵିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଏହି ସ୍ଵତନ୍ତ୍ର ନୀତି ଚାଲିବ।
