ନ୍ୟୁଜ ଡେକ୍ସ: ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଧୂଳିସାତ୍ ହେଲା ସମ୍ପୂର୍ଣ୍ଣ ମନ୍ଦିର । ସେପଟେ ଟ୍ୟାଙ୍କରରେ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଦୀର୍ଘ ଦିନ ହେବ ବଲାଙ୍ଗିର ବାଇପାସ୍ କାମ ଚାଲିଥିବା ବେଳେ ଭାରିଯାନ ବଜାର ମଧ୍ୟ ଦେଇ ଯାତାୟତ କରୁଛି।
ରାତି ୧୨ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରିଥାଏ। ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ସହର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଟ୍ୟାଙ୍କରଟି ବଜାର ମଧ୍ୟରେ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଏହାପରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ନିକଟରେ ଥିବା ଶନି ମନ୍ଦିର ଉପରେ ଚଢ଼ି ଯାଇଥିଲା। ଫଳରେ ମନ୍ଦିର ସମେତ ବିଗ୍ରହ ବି ମାଟିରେ ମିଶି ଯାଇଛି। ଫଳରେ ମନ୍ଦିରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
ଅନ୍ୟପଟେ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ମନ୍ଦିର ପୂଜକ । ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।