ନ୍ୟୁଜ ଡେକ୍ସ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି। ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି।
ଏହି ଘଟଣାରେ ପୁଲିସ ନିଖୋଜ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବଡହାବେଲି ସାହି ପଞ୍ଚାଘେରିଆ ଗାଁରେ ମାଆ ଯମୁନା ସାମଲ ଓ କୌଶଲ୍ୟା ଗାୟନ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ପରେ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ଏହି ଘଟଣାର କିଛିଦିନ ପରେ ସ୍ଥାନୀୟ ଚାଷୀ ଜମିରୁ ପାଣି କମାଇବାକୁ କଳା ପାହାଡିଆ ନାଳ ଖୋଳୁ ଥିବାବେଳେ ଜେସିବିରେ ବସ୍ତା ଲାଗିଥିଲା। ଏହି ବସ୍ତାରେ ଖପୁରୀ ଆଉ ହାଡ଼ ଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ଦୁଇ ଯୁବକକୁ ଅଟକ ରଖି ତନାଘନା ଚଳାଇଛି।