ନ୍ୟୁଜ ଡେକ୍ସ : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏଣିକି ମନଇଛା ଭାବେ ହୋର୍ଡିଂ ଲଗାଇ ପାରିବେନି। ହୋର୍ଡିଂ ସ୍ଥାପନ ପାଇଁ ପୂର୍ବରୁ ବିଏମସିର ଅନୁମତି ନେବାକୁ ହେବ ଏବଂ ପ୍ରତ୍ୟେକ ହୋର୍ଡିଂ ପାଇଁ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ ବାଧ୍ୟତାମୂଳକ କରାଯାଇଛି।ବିଏମସି କମିଶନର ଚଞ୍ଚଲ ରଣା କହିଛନ୍ତି ଯେ, ମହାନଗର ଅଞ୍ଚଳରେ ଲାଗିଥିବା ସମସ୍ତ ହୋର୍ଡିଂକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ସ୍ଥାୟୀ ପ୍ରମାଣପତ୍ର ଦେବାକୁ ବାଧ୍ୟତାମୂଳକ କରାଯାଇଛି।
ହୋର୍ଡିଂ ଷ୍ଟ୍ରକଚରର ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ନିୟମ ଆଣାଯାଇଛି।ବିଏମସି ପକ୍ଷରୁ ସମସ୍ତ ହୋର୍ଡିଂର ସମୀକ୍ଷା କରି ତାହାର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ହୋର୍ଡିଂରେ ସଂପୃକ୍ତ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି। ଏହା ସହ ପ୍ରତି ଏଜେନ୍ସିକୁ ସମସ୍ତ ହୋର୍ଡିଂ ପାଇଁ ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ କରାଇବାକୁ ନିର୍ଦ୍ଦେଶ ମିଳିଛି।ବର୍ତ୍ତମାନ ୩ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ହୋର୍ଡିଂ ଲଗାଇବା ପାଇଁ ଅନୁମତି ମିଳିଛି। ଅନ୍ୟ ଏଜେନ୍ସିମାନଙ୍କ ପାଇଁ ଆସନ୍ତା ୬ ତାରିଖ ପରେ ଟେଣ୍ଡର ଖୋଲାଯିବ। କୌଣସି ଅମୂଲ୍ୟ ଜୀବନ ଯେପରି ନଷ୍ଟ ନ ହେଉ, ସେଥିପାଇଁ ବିଏମସି ଗୁରୁତ୍ୱ ଦେଉଛି ବୋଲି କମିଶନର କହିଛନ୍ତି।
ଦୁଇରୁ ତିନି ସପ୍ତାହ ମଧ୍ୟରେ ସମସ୍ତ ଏଜେନ୍ସିକୁ ସୁରକ୍ଷା ସମ୍ପର୍କିତ ରିପୋର୍ଟ ଦେବାକୁ କୁହାଯାଇଛି।ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂର ଫ୍ଲେକ୍ସ ଛିଡ଼ିଯାଏ କିମ୍ବା ତାହା ଅସୁରକ୍ଷିତ ଅବସ୍ଥାରେ ଥାଏ, ତେବେ ତୁରନ୍ତ ତାହାକୁ କାଟିଦେବାକୁ ନିର୍ଦ୍ଦେଶ ରହିଛି। ଆବଶ୍ୟକ ହେଲେ ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂକୁ ପୂରାପୂରି ହଟାଇବା ପାଇଁ ମଧ୍ୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

