ନ୍ୟୁଜ ଡେକ୍ସ: ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ । ଟ୍ରେନ୍ରୁ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି।
ଚଳନ୍ତା ଟ୍ରେନ୍ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତେବେ ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବାସିନ୍ଦା ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଏକ ଦଶାହ କର୍ମରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।
ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରୁ ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଟ୍ରେନ୍ ଚଢ଼ୁଥିଲେ। ମାତ୍ର ହଠାତ୍ ଚଳନ୍ତା ଟ୍ରେନରୁ ଉଭୟ ମା’ ଝିଅ ଖସି ପଡ଼ିଥିଲେ। ଦୁର୍ଘଟଣାରେ ରତିକା ଚନ୍ଦନାଙ୍କ ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନାଙ୍କ ଡାହାଣ ହାତ ଓ ଗୋଡ଼ କଟି ଯାଇଛି।

