ନ୍ୟୁଜ ଡେକ୍ସ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଏହାର ଅଂଶ ଭାବେ ଏପ୍ରିଲ ୨ ଓ ୩ ତାରିଖରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଆମ ପୋଷାକ ଆମ ପରିଚୟ’ ଶୀର୍ଷକରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯିବ।
ଏନେଇ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି।ଓଡ଼ିଶାର ହସ୍ତତନ୍ତ କେବଳ ଏକ ଶିଳ୍ପ ନୁହେଁ, ଏହା ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ପ୍ରତୀକ। ସେଥିପାଇଁ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍ବେଚ୍ଛାସେବୀ ସଂଗଠନ ଏବଂ ସମସ୍ତ ନାଗରିକଙ୍କୁ ପାରମ୍ପରିକ ପୋଷାକ ପରିଧାନ କରି ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।ଏହାସହ ହସ୍ତତନ୍ତ ବସ୍ତ୍ର ପରିଧାନ କରି ସେଲ୍ଫି ଉଠାଇ ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିବା ପାଇଁ ମଧ୍ୟ ଆହ୍ୱାନ ଜାରି ହୋଇଛି। ଏହା ମାଧ୍ୟମରେ ଲୋକମାନଙ୍କୁ ଓଡ଼ିଆ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟ ରହିଛି।ଏହି ସମୟସୀମାରେ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟର ସମସ୍ତ ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡ଼ା ୨୦ ସହ ଅତିରିକ୍ତ ୧୦ ଭାଗ ରିହାତି ଦିଆଯାଉଛି, ଯାହା ଗ୍ରାହକଙ୍କୁ ଆକର୍ଷିତ କରୁଛି।
ଏପ୍ରିଲ ୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବା ସହ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ମଧ୍ୟ ଆୟୋଜିତ ହେବ।ଓଡ଼ିଆ ସଂସ୍କୃତିକୁ ବିଶ୍ୱସ୍ତରରେ ପରିଚିତ କରିବା ସହ ଯୁବପିଢ଼ିଙ୍କୁ ନିଜ ମୂଳ ସଂସ୍କୃତି ସହ ପୁନଃ ସଂଯୋଜିତ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ବ୍ଲକରୁ ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଉଛି। ପ୍ରତ୍ୟେକ ଦିନ ବିଭିନ୍ନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଉଜାଗର କରାଯାଉଛି।

