ନ୍ୟୁଜ ଡେକ୍ସ : ଉତ୍କଳ ଦିବସ ଅବସରରେ ଓଡ଼ିଶା ପାଇଁ ଆସିଛି ଏକ ବଡ଼ ଖୁସିର ଖବର। ରାଜଧାନୀ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ବରମୁଣ୍ଡାର ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ ଭିତରେ ସ୍ଥାପିତ ଏହି ଆଧୁନିକ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି।ଏପର୍ଯ୍ୟନ୍ତ ଭିସା ସେବା ପାଇଁ ଓଡ଼ିଶାବାସୀଙ୍କୁ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ଦୂର ସହରକୁ ଯିବାକୁ ପଡ଼ୁଥିଲା।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ର ସରକାର ସହ ଆଲୋଚନା କରି ଶେଷରେ ଭୁବନେଶ୍ୱରରେ ଏହି କେନ୍ଦ୍ର ସ୍ଥାପନା କରାଇଛନ୍ତି।ପ୍ରାୟ ୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି କେନ୍ଦ୍ର ତିଆରି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୟୁକେ, ଆୟରଲ୍ୟାଣ୍ଡ, ଇଟାଲୀ, ଜାପାନ ସହିତ ୧୦ଟି ଦେଶ ପାଇଁ ଭିସା ଆବେଦନ ସୁବିଧା ମିଳିବ। ଆଗାମୀ ଦିନରେ ଆହୁରି ଅଧିକ ଦେଶକୁ ଏହି ସେବା ବିସ୍ତାର କରାଯିବ ବୋଲି ସୂଚନା ମିଳିଛି।ଏହି କେନ୍ଦ୍ର VFS Global ଦ୍ୱାରା ପରିଚାଳିତ ହେବ।
ବର୍ତ୍ତମାନ ଭାରତର ୨୦ଟି ସହରରେ ୫୬୦ରୁ ଅଧିକ VFS କେନ୍ଦ୍ର କାର୍ଯ୍ୟରତ ଅଛି। ଭୁବନେଶ୍ୱରରେ ଏହା ଆରମ୍ଭ ହେବାରୁ ରାଜ୍ୟବାସୀଙ୍କ ପାଇଁ ବିଦେଶ ଯାତ୍ରା ଅଧିକ ସହଜ ହେବ।ଏହି ପଦକ୍ଷେପ ରାଜ୍ୟର ପର୍ଯ୍ୟଟନ, ଶିଳ୍ପ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ସମଗ୍ର ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଓ ଉପକାରୀ ପଦକ୍ଷେପ ଭାବେ ପରିଗଣିତ ହେଉଛି।

