ନ୍ୟୁଜ ଡେକ୍ସ : ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆଜି ଉଦଘାଟିତ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଉପସ୍ଥିତ ଥିଲେ।
ଉଦଘାଟନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟକୁ ଉଲ୍ଲେଖ କରି କହିଥିଲେ ଯେ ‘ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି’ ଗଠନ କରିବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ। ସେ ଏହାକୁ ଶିଶୁ ଓ ମହିଳାଙ୍କ ସମଗ୍ର ବିକାଶ ପାଇଁ ଏକ ମୂଳଭୂମିକା ପାଳନ କରୁଥିବା ପ୍ରକଳ୍ପ ବୋଲି କହିଥିଲେ। ବାଲେଶ୍ୱର, ଗଞ୍ଜାମ, କଟକ, ଅନୁଗୋଳ ଓ ଦେବଗଡ଼ ଭଳି ଜିଲ୍ଲାର ଅଧିକାରୀମାନଙ୍କ ସହ ଆଲୋଚନା କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଆଜିର ଶିଶୁମାନେ ହିଁ ଆଗାମୀ ଦିନରେ ରାଜ୍ୟର ଭବିଷ୍ୟତ ଗଢ଼ିବେ। ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କ ଅବଦାନ ଅତ୍ୟନ୍ତ ମୁହାଁ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି।
ଏହି ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କ ପାଇଁ ପୁଷ୍ଟିସାଧନ, ପ୍ରାରମ୍ଭିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ।ଏହି କେନ୍ଦ୍ରଗୁଡ଼ିକ ଗ୍ରାମ ଓ ସହର ଅଞ୍ଚଳରେ ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା ଓ ପୋଷଣ ନିଶ୍ଚିତ କରିବା ସହ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ସଚେତନତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ। ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ସୁବିଧା ଯୋଗାଇବାରେ ଏହା ଏକ ଦୃଢ଼ ପଦକ୍ଷେପ ଭାବେ ପରିଗଣିତ ହେଉଛି।
ଏହି କାର୍ଯ୍ୟକ୍ରମରେ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଡିଏସଡବ୍ଲ୍ୟୁ, ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।ସମୁଦାୟରେ ଦେଖାଯାଉଛି ଯେ ଏହି ପଦକ୍ଷେପ ରାଜ୍ୟରେ ଶିଶୁ ଓ ମହିଳାଙ୍କ ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

