ନ୍ୟୁଜ ଡେକ୍ସ : ସ୍ମାର୍ଟ ମିଟରକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବଢୁଥିବା ଚିନ୍ତାକୁ ଦୂର କରିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ୍। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରିପେଡ୍ ବୈଦ୍ୟୁତିକ ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟବସ୍ଥା।ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଯଦି କୌଣସି ଗ୍ରାହକ ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବହାର କରିବାକୁ ଇଚ୍ଛା କରନ୍ତି, ତେବେ ଏହା ତାଙ୍କ ପାଇଁ ସହଜ ଓ ଲାଭଦାୟକ ହେବ।
ସେଥିପାଇଁ ଏହା ରାଜ୍ୟ ସରକାର ଏବଂ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ପାଇଁ ମଧ୍ୟ ଉପକାରୀ।ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍ ମିଟର ସ୍ଥାପନ ହୋଇସାରିଛି ଏବଂ ଯେଉଁଠାରେ ଏହି ବ୍ୟବସ୍ଥା ଲାଗୁ ହୋଇଛି, ସେଠାରେ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ କ୍ଷତି ହ୍ରାସ ପାଇଛି।
ସେ ସ୍ପଷ୍ଟ କରିଥିଲେ ଯେ କୌଣସି ଉପଭୋକ୍ତାଙ୍କ ଉପରେ ଜବରଦସ୍ତି ସ୍ମାର୍ଟ ମିଟର ଲାଗୁ କରାଯାଉ ନାହିଁ। ବର୍ତ୍ତମାନ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ସମୁଦାୟ କ୍ଷତି ପ୍ରାୟ ୭ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଥିବା ବେଳେ, ସ୍ମାର୍ଟ ମିଟର ଏହାକୁ କମେଇବାରେ ସାହାଯ୍ୟ କରୁଥିବାରୁ ଏହାକୁ ପ୍ରୋତ୍ସାହନ ଦିଆଯାଉଛି।

