Fri. Apr 17th, 2026

ନ୍ୟୁଜ ଡେକ୍ସ : ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ସରକାର ଏବେ କଠୋର ମନୋଭାବ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କଲେ କେବଳ ସତର୍କତା ନୁହେଁ, ସିଧାସଳଖ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏହା ପାଇଁ ଏକ ନୂତନ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି। ଅନେକ ଲୋକ ନିଜ ସୀମା ଉଲ୍ଲଂଘନ କରି ଅପଶବ୍ଦ ବ୍ୟବହାର କରୁଥିବାରୁ ସମାଜରେ ଏହାର ଖରାପ ପ୍ରଭାବ ପଡୁଛି। ସେ କହିଛନ୍ତି ଯେ, ସୋସିଆଲ ମିଡିଆ ଧୀରେ ଧୀରେ କୁତ୍ସିତ ଆକାର ନେଉଛି ଏବଂ କିଛି ଲୋକ ଅଭଦ୍ର ମାନସିକତା ପ୍ରଦର୍ଶନ କରୁଛନ୍ତି।ଏହି ପ୍ରସ୍ତାବିତ ଆଇନ ଲାଗୁ ହେଲେ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର କରିଲେ ଲୋକମାନେ ଆଇନର ଜାଳରେ ପଡିପାରିବେ। ଆଇନ କମିଶନ ମଧ୍ୟ ଏହି ବିଷୟରେ ବିସ୍ତୃତ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ଏବଂ ଏହା ଆଧାରରେ ଶୀଘ୍ର ନୂତନ ନିୟମ ଆସିପାରେ।

ବିଶେଷକରି ଯୁବପିଢ଼ି ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବା ବେଳେ ଭାଷାର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଏହା କେବଳ ଆଇନ ମାତ୍ର ନୁହେଁ, ସମାଜିକ ଶିଷ୍ଟାଚାରର ମଧ୍ୟ ଅଂଶ।ସରକାରଙ୍କ ଏହି ପଦକ୍ଷେପକୁ କେହି ସ୍ୱାଗତ କରୁଥିବା ବେଳେ, କେହି ଏହାକୁ ମତ ପ୍ରକାଶର ସ୍ୱାଧୀନତା ଉପରେ ପ୍ରଭାବ ପକାଇପାରେ ବୋଲି ମତ ଦେଉଛନ୍ତି। ତଥାପି ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଅପଶବ୍ଦ ବ୍ୟବହାର କଲେ ତାହାର କଠୋର ପରିଣାମ ଭୋଗିବାକୁ ପଡିବ।

Leave a Reply

Your email address will not be published. Required fields are marked *